ନୂଆଦିଲ୍ଲୀ: ୟୁରୋପର ୪ଟି ଦେଶ ସ୍ପେନ୍‌, ପର୍ତ୍ତୁଗାଲ , ବେଲଜିୟମ ଏବଂ ଫ୍ରାନ୍ସର ଦକ୍ଷିଣ ଭାଗରେ ବଡ଼ଧରଣର ବିଜୁଳି ବିଭ୍ରାଟ ଦେଖାଦେଇଛି। ବିଜୁଳି ବିଭ୍ରାଟ ଯୋଗୁ ଫୋନଲାଇନ୍‌ କାମ କରୁନି। ଟ୍ରେନ୍‌ ଓ ବିମାନ ଚଳାଚଳ ଅତି ଭୟଙ୍କର ପ୍ରଭାବିତ ହୋଇଛି। ସ୍ପେନ୍‌ରେ ଗ୍ରିଡ୍‌ ପରିଚାଳକ କହିଛନ୍ତି, ବିଦ୍ୟୁତ୍‌ ସରବରାହ ଠିକ୍‌ ହେବାପାଇଁ ପାଖାପାଖି ୬ରୁ ୧୦ ଘଣ୍ଟା ଲାଗିବ। ବିଜୁଳି ବିଭ୍ରାଟ ହେବାପରେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଜରୁରୀ ବୈଠକ ହୋଇଛି। ଉଭୟ ରାଷ୍ଟ୍ରରେ ୫୦ନିୟୁତରୁ ଅଧିକ ଲୋକ ଥିବାବେଳେ ଅଧିକାଂଶ ଏଥିରେ ପ୍ରଭାବିତ ହୋଇଛନ୍ତି। ତେବେ ବିଜୁଳି ବିଭ୍ରାଟର କାରଣ କ’ଣ ଜଣାପଡ଼ିନାହିଁ।  କିନ୍ତୁ ସ୍ପେନ୍‌ ସରକାର ଏହାର କାରଣ ଖୋଜିବା ଦିଗରେ କାର୍ଯ୍ୟ କରୁଛନ୍ତି।  ଆଜି ଦକ୍ଷିଣପଶ୍ଚିମ ଫ୍ରାନ୍ସରେ ଅନେକ ସମୟ ଧରି ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ କିଛି ଘଣ୍ଟା ପରେ ବିଦ୍ୟୁତ ସରବରାହ ଠିକ୍‌ କରାଯାଇଥିଲା।  

Advertisment

ଇତି ମଧ୍ୟରେ ୟୁରୋପୀୟ ସଂଘ କହିଛି, ବିଜୁଳି ବିଭ୍ରାଟର କାରଣ ଜାଣିବା ପାଇଁ ସ୍ପେନ୍‌ ଏବଂ ପର୍ତ୍ତୁଗାଲ ସହ ଯୋଗାଯୋଗ କରାଯାଇଛି।  ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯିବାରୁ ଆଜି ଟ୍ରେନ୍‌ ଏବଂ ବିମାନସେବା ପ୍ରଭାବିତ ହୋଇଛି। ମାଦ୍ରିଦ‌ରେ ବାଜରସ ଅନ୍ତର୍ଜାତୀୟ ବିମାନବନ୍ଦର କୋଠା ଅନ୍ଧାର ହୋଇଯାଇଛି ଏବଂ ଅନ୍ୟ ବିମାନବନ୍ଦର ଗୁଡ଼ିକ ମଧ୍ୟ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ୟୁରୋନ୍ୟୁଜ୍‌ ପର୍ତୁଗାଲ ଅନୁଯାୟୀ ଅନେକ ଯାତ୍ରୀ ସ୍ପେନ୍‌ ଏବଂ ପର୍ତ୍ତୁଗାଲ ମେଟ୍ରୋରେ ଫସି ରହିଛନ୍ତି। ଟନେଲ୍‌ରେ ମଧ୍ୟ ଟ୍ରେନ୍‌ ଫସିଯିବାରୁ ଲୋକ ଅନ୍ଧାରରେ ଫସି ଯାଇଛନ୍ତି ଏବଂ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ପେନ୍‌ର ସରକାରୀ ଟିଭି ଅନୁଯାୟୀ ମଧ୍ୟାହ୍ନ ୧୨ଟା ୩୦ରେ ବିଜୁଳି ବିଭ୍ରାଟ ସମସ୍ୟା ଆରମ୍ଭ ହୋଇଥିଲା।  ସ୍ପେନ୍‌ ସଂସଦ, ମେ‌ଟ୍ରୋ ଷ୍ଟେସନ୍‌ ବି ଏଥିଯୋଗୁ ପ୍ରଭାବିତ ହୋଇଛି। ପର୍ତ୍ତୁଗାଲରେ ବିଦ୍ୟୁତ କାଟ ଯୋଗୁ ଲିସବନ୍‌ ଏବଂ ଆଖାପାଖ ଅଞ୍ଚଳ ପ୍ରଭାବିତ ହୋଇଛି।  ମୋବାଇଲ ଫୋନ୍‌ ନେଟୱର୍କ ଅତି ସାଂଘାତିକ ଭାବେ ଡାଉନ୍‌ ହୋଇଯାଇଛି।