ଭାରତରେ ହୋଇଥିବା ବଡ଼ ରେଳ ଦୁର୍ଘଟଣା : ବାଗମତୀ ବ୍ରିଜରୁ ଅମୃତସର ଦଶହରା

ଓଡ଼ିଶାର ବାଲେଶ୍ବର ଜିଳ୍ଲାର ବହାନଗାରେ ଜୁନ୍ ୧ ତାରିଖ ଶୁକ୍ରବାର ସଂଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଦେଶର ଟ୍ରେନ୍ ଟ୍ରାଜେଡି ତାଲିକାରେ ଏକ ବଡ଼ ଅଘଟଣ ଭାବେ ସାମିଲ ହୋଇଛି। ଆସନ୍ତୁ ନଜର ପକାଇବା ଭାରତର ବଡ଼ ବଡ଼ ରେଳ ଦୁର୍ଘଟଣା ଉପରେ, କେବେ କେଉଁଠି ଘଟିଥିଲା ଓ କେତେ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ….

ଜୁନ୍ ୧୯୮୧: ବିହାରରେ ହୋଇଥିବା ଏହି ଲୋମଟାଙ୍କୁରା ରେଳ ଦୁର୍ଘଟଣା ଦେଶର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ବିବେଚନା କରାଯାଏ। ବାଗମତୀ ନଦୀ ଉପରେ ଯାଉଥିବା ସମୟରେ ଟ୍ରେନ୍‌ର ୭ଟି ବଗି ଏକ ନଦୀରେ ଗଳି ପଡ଼ିବା କାରଣରୁ ୮ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବିଶ୍ବର ଦ୍ବିତୀୟ ବୃହତ ରେଳ ଦୁର୍ଘଟଣା ବୋଲି କୁହାଯାଏ।
ଜୁଲାଇ ୧୯୮୮: କେରଳରେ ଅସ୍ତାମୁଡ଼ି ହ୍ରଦର ଉପରେ ଥିବା ପେରୁମନ ବ୍ରିଜ୍ ଉପରେ ଟ୍ରେନ୍‌ ଲାଇନ୍ ଚ୍ୟୁତ ହେବା ଫଳରେ ଦୁର୍ଘଟଣା ହୋଇଥିଲା। ୧୦ଟି ବଗି ପାଣିରେ ଖସି ପଡ଼ିବା କାରଣରୁ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅଗଷ୍ଟ ୧୯୯୫: ଦିଲ୍ଲୀଠାରୁ ୨ କି.ମି ଦୂରରେ ୨ଟି ଟ୍ରେନ୍‌ ଧକ୍କା ହେବା ଫଳରେ ୩୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୯୫ ମସିହା ଫିରୋଜାବାଦରେ ହୋଇଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୋଟିଏ ଗାଡ଼ି ଏକ ନୀଳଗାଈକୁ ଧକ୍କା ଦେଇ ଅଟକି ରହିଥିବା ବେଳେ ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ି ଏହାକୁ ଧକ୍କା ଦେଇଥିଲା।
ଅଗଷ୍ଟ ୧୯୯୯: ପଶ୍ଚିମବଙ୍ଗର ଗାଇସାଲ ଷ୍ଟେସନ୍‌ ନିକଟରେ ଦୁଇଟି ଟ୍ରେନ୍‌ ପରସ୍ପର ଭିତରେ ଧକ୍କା ହେବା ଫଳରେ ୨୮୫ଜଣଙ୍କ ମୃତ୍ୟୁ ହୋଇଥିଲା। ୨୫ଶହ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଟ୍ରେନ୍‌ ସିଗ୍‌ନାଲରେ ତ୍ରୁଟି ପାଇଁ ଏଭଳି ପରିସ୍ଥିତି ଉପୁଜିଥିଲା। ମରାମତି ପାଇଁ ୪ଟି ଟ୍ରାକ୍‌ରୁ ୩ଟି ବନ୍ଦ ଥିବା ବେଳେ ଦୁଇ ଟ୍ରେନ୍‌ ଗୋଟିଏ ଟ୍ରାକ୍‌ରେ ଯାଇଥିଲେ।
ଅକ୍ଟୋବର ୨୦୦୫: ଆନ୍ଧ୍ରର ବେଲୁଗୋଣ୍ଡା ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରେ ୭୭ଜଣଙ୍କ ମୃତ୍ୟୁ ହୋଇଥିଲା।
ଜୁଲାଇ ୨୦୧୧: ‌ଫତେପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆହତ ହୋଇଥିଲେ। ଜୁଲାଇ ୧୦ ତାରିଖରେ ହାୱଡ଼ା-କଲକା ମେଲ୍‌ର ୧୫ଟି କୋଚ୍ ମାଲୱାନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଯାହାଫଳରେ ଏସି କୋଚ୍‌ରେ ନିଆଁ ଲାଗି ଯାଇଥିଲା।
ମେ’ ୨୦୧୨ : ଆନ୍ଧ୍ର ପ୍ରଦେଶ ନିକଟରେ ଏକ କାର୍ଗୋ ଓ ଯାତ୍ରାବାହୀ ହୁବଲି-ବାଙ୍ଗାଲୋର ହାମ୍ପି ଏକ୍ସପ୍ରେସ୍ ଭିତିରେ ମୁହାଁମୁହିଁ ଧକ୍କା ଯୋଗୁଁ ୨୫ଜଣ ପ୍ରାଣ ହରାଇଥିଲେ ଓ ୪୩ଜଣ ଆହତ ହୋଇଥିଲେ।
ମେ’ ୨୦୧୪: ଉତ୍ତରପ୍ରଦେଶର ସନ୍ତ କବୀର ନଗର ଅଞ୍ଚଳରେ ଗୋରଖଧାମ ଏକ୍ସପ୍ରେସ୍ ଗୋରଖପୁର ଅଭିମୁଖେ ବାହାରିଥିବା ବେଳେ ଖଲିଦାବାଦ ଷ୍ଟେସନ୍‌ରେ ଏକ ମାଲବାହୀ ଟ୍ରେନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଆହତ ହୋଇଥିଲେ।
ନଭେମ୍ବର ୨୦୧୬: ଉତ୍ତରପ୍ରଦେଶରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍ କାନପୁରସ୍ଥିତ ପୁଖରାୟାନ ନିକଟରେ ଲାଇନଚ୍ୟୁତ ହେବା ହୋଇଥିଲା। ଏଥିରେ ୧୪ଟି କୋଚ୍ ଲାଇନ୍‌ଚ୍ୟୁତ ହେବା କାରଣରୁ ୧୪୬ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୨ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ଜାନୁଆରି ୨୦୧୭: ଜାନୁଆରି ୨୧ ତାରିଖରେ ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁରଠାରୁ ଭୁବନେଶ୍ବର ଯାଉଥିବା ବେଳେ ବିଜୟାନଗରମ ନିକଟସ୍ଥ କୁନେରା ଗାଁ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏଥିରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା।
ଅଗଷ୍ଟ ୨୦୧୭: ପୁରୀ-ହରିଦ୍ବାର ଉତ୍କଳ ଏକ୍ସପ୍ରେସ୍ ମୁଜାଫରନଗର ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ପୁରୀରୁ ହରିଦ୍ବାରା ଅଭିମୁଖେ ଯାଉଥିବା ଏହି ଟ୍ରେନ୍‌ର ୨୩ଟି କୋଚ୍ ମଧ୍ୟରୁ ୧୪ଟି କୋଚ୍ ଖଟୌଲୀ ନିକଟରେ ଲାଇନ୍‌ଚ୍ୟୁତ ହେବା ଫଳରେ ୨୩ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬୦ଜଣ ଆହତ ହୋଇଥିଲେ।
ଅକ୍ଟୋବର ୨୦୧୮: ଅମୃତସରରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦଶହରା ଉତ୍ସବ ଦେଖିବା ଲାଗି ଟ୍ରାକ୍‌ ଉପରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର