ଭାରତରେ ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ପାକିସ୍ତାନରେ ବୃଦ୍ଧି ପାଇଛି : ୟୁଏନ୍ ରିପୋର୍ଟ
ନୂଆଦିଲ୍ଲୀ : ଭାରତ ମାଟିରୁ ଏବେ ଏଚ୍ଆଇଭିର ଦାଗ ଲିଭିବାରେ ଲାଗିଛି । ୟୁଏନ୍ ରିପୋର୍ଟରୁ ଭାରତରେ ଏଚ୍ଆଇଭି ଏବଂ ଏଡ଼୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁମାତ୍ରାରେ କମିଥିବା ଜଣା ପଡ଼ିଛି । ରିପୋର୍ଟ ଅନୁଯାୟୀ, ଏସିଆ ମହାଦେଶରେ ଥିବା ଭାରତ,ମିଆଁମାର,ଥାଇଲାଣ୍ଡ,ଭିଏତ୍ନାମ ଏବଂ କମ୍ବୋଡିଆରେ ଏଚ୍ଆଇଭି ମୃତ୍ୟୁ ସଂଖ୍ୟା କମ ଥିବା ବେଳେ ପାକିସ୍ତାନ ଏବଂ ଫିଲିପାଇନ୍ସରେ ଏହାର ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି । ୨୦୧୦ରେ ଭାରତରେ ଏଚ୍ଆଇଭି ପୀଡ଼ିତଙ୍କ ସଂଖ୍ୟା ୧,୨୦,୦୦୦ ଥିବା ବେଳେ ୨୦୧୭ରେ ଏହା ହ୍ରାସ ପାଇ ୮୮,୦୦୦ରେ ପହଞ୍ଚିଥିଲା ।

ଠିକ୍ ସେହି ପରି ଏଡ଼୍ସ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୧,୬୦,୦୦୦ରୁ ହ୍ରାସ ପାଇ ୬୯,୦୦୦ରେ ପହଞ୍ଚିଥିବା ବେଳେ ଏଚ୍ଆଇଭି ପୀଡ଼ିତଙ୍କ ମୃତ୍ୟୁ ସଂଖ୍ୟା ୨,୩୦୦,୦୦୦ରୁ ହ୍ରାସ ପାଇ ୨,୧୦୦,୦୦୦ରେ ପହଞ୍ଚିଥିଲା । ଦେଶରୁ ଏହି ସମସ୍ୟାକୁ ହଟାଇବା ପାଇଁ ସରକାର ମଧ୍ୟ ଅନେକ ପ୍ରୟାସ କରିଥିଲେ । ନ୍ୟାସ୍ନାଲ ଏଡ଼୍ସ କଣ୍ଟ୍ରୋଲ ପ୍ରୋଗ୍ରାମ-IV(୧୯୯୨),ଅବ୍ହାନ୍(୨୦୦୩),ନ୍ୟାସ୍ନାଲ ଏଡ଼୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ ଇତ୍ୟାଦି ସଂସ୍ଥା ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଶରେ ଏହି ପରିବର୍ତ୍ତନ ଆସି ପାରିଥିବା ଜଣା ପଡ଼ିଛି । ବିଗତ ୭ବର୍ଷ ମଧ୍ୟରେ ବିଶ୍ୱରେ ଏଚ୍ଆଇଭି ରୋଗୀଙ୍କ ସଂଖ୍ୟା ୧୮ପ୍ରତିଶତ କମିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।