ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କ୍ୟାବିନେଟ୍ ବୈଠକରେ ତାଙ୍କ ମନ୍ତ୍ରୀମାନଙ୍କୁ ଦୁଇଟି ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ରୋଡମ୍ୟାପ୍‌ ନୂଆ ସରକାରଙ୍କ ପ୍ରଥମ ୧୦୦ ଦିନ ପାଇଁ ଏବଂ ଦ୍ୱିତୀୟ ରୋଡମ୍ୟାପ୍‌ ସରକାରର ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ। ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ପାଇଁ ଗତକାଲି ନିର୍ବାଚନ କମିସନ କାର୍ଯ୍ୟସୂଚୀ ଘୋଷଣା କରିଥିବା ବେଳେ ଆଜି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ୧୦୦ ଦିନ ଓ ପରବର୍ତ୍ତୀ ୫ ବର୍ଷର ଏଜେଣ୍ଡାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଆଲୋଚନା କରିବା ପାଇଁ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସଚିବ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୯ତାରିଖରୁ ଭୋଟ୍‌ ଗ୍ରହଣ ଆରମ୍ଭ ହେବ ଏବଂ ଜୁନ୍‌ ୪ରେ ନିର୍ବାଚନ ଫଳ ଆସିବ।