‘ମେକ୍ ଇନ୍ ଇଣ୍ଡିଆ’କୁ ଆଠବର୍ଷ: ଏଫ୍‌ଡିଆଇ ୭୩ ବିଲିୟନ ଡଲାର ଟପିଲା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଇତିମଧ୍ୟରେ ଆଠବର୍ଷ ପୂରଣ କରିଛି। ୨୦୧୪ ସେପ୍ଟେମ୍ବର ୨୫ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଦେଶରେ ପୁଞ୍ଜିନିବେଶ, ନବସୃଜନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ ହେବା ସହିତ ଉତ୍ପାଦନ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ଉକ୍ତ ଯୋଜନା ଭାରତକୁ ଏକ ପ୍ରମୁଖ ମାନୁଫ୍ୟାକଚରିଂ ହବ୍ ଓ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିଛି। ମେକ୍ ଇନ୍ ଇଣ୍ଡିଆରେ ଦେଶର ୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହି ସମସ୍ତ କ୍ଷେତ୍ରରେ ଭଲ ସଫଳତା ମିଳିଛି।

ବିଦେଶୀ ପୁଞ୍ଜିନିବେଶଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଏକ ଉଦାରବାଦୀ ଏବଂ ସ୍ୱଚ୍ଛ ନୀତି କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ସ୍ୱୟଂକ୍ରିୟ ମାର୍ଗରେ ନିବେଶକମାନେ ସହଜରେ ଭାରତରେ ପୁଞ୍ଜି ଖଟାଇବା ସୁବିଧା ପାଇଛନ୍ତି । ୨୦୧୪-୧୫ରେ ଭାରତରେ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ଥିଲା ୪୫.୧୫ ବିଲିୟନ ଡଲାର ଥିଲା। ବିଗତ ଆଠବର୍ଷ ମଧ୍ୟରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ରେକର୍ଡ ପରିମାଣରେ ପହଞ୍ଚିଛି । ୨୦୨୧-୨୨ରେ ଏଫ୍‌ଡିଆଇ ପରିମାଣ ସର୍ବାଧିକ ୭୩.୬ ବିଲିୟନ ଡଲାର ଥିଲା । ମୋଟ ୧୦୧ଟି ଦେଶରୁ ଏହି ଏଫ୍‌ଡିଆଇ ଆସିଛି ଏବଂ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି କ୍ଷେତ୍ରରେ ବିନିଯୋଗ କରାଯାଇଛି । ନିକଟ ଅତୀତରେ ଭାରତର ଆର୍ଥିକ ସଂସ୍କାର ଓ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ (ବ୍ୟାବସାୟିକ ସୁଗମତା) ବଳରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଭାରତ ମୋଟ ୧୦୦ ବିଲିୟନ ଡଲାର ଏଫ୍‌ଡିଆଇ ପାଇବ ବୋଲି ଆକଳନ କରାଯାଇଛି।

୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି
ଦେଶରେ ବ୍ୟାବସାୟିକ ସୁଗମତା ବଢ଼ିଛି
ପିଏଲ୍‌ଆଇ ଦ୍ୱାରା ଘରୋଇ ଉତ୍ପାଦନକାରୀଙ୍କୁ ଲାଭ
ଖେଳନା ରପ୍ତାନିରେ ଉଲ୍ଲେଖନୀୟ ଉନ୍ନତି

ଦେଶର ୧୪ଟି ମାନୁଫ୍ୟାକଚରିଂ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‌ଆଇ ୨୦୨୦-୨୧ରୁ ଲାଗୁ କରାଯାଇଛି। ଫଳରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବଡ଼ ପ୍ରୋତ୍ସାହନ ମିଳିଛି। ବିଶ୍ୱ ଅର୍ଥନୀତିରେ ସେମିକଣ୍ଡକ୍ଟର ଭଳି ସାମଗ୍ରୀର ଗୁରୁତ୍ୱ ଥିବା ଉପଲବ୍ଧି କରି ଭାରତ ସରକାର ଏ କ୍ଷେତ୍ରରେ ୧୦ବିଲିୟନ ଡଲାରର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସେମିକଣ୍ଡକ୍ଟର, ଡିସ୍‌ପ୍ଲେ ଓ ଡିଜାଇନ ନିର୍ମାଣ ଗୁରୁତ୍ୱ ପାଇଛି ।

91sarkariyojana.in

‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବାକୁ ସରକାର ବିଭିନ୍ନ ସଂସ୍କାରର କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପୁରୁଣା ଆଇନର ସଂଶୋଧନ, ନୀତି ନିୟମର ସରଳୀକରଣ, ନୀତି ନିୟମ ଅନୁପାଳନ ଜନିତ ଅନାବଶ୍ୟକ ବୋଝ ଓ ଜଟିଳତା ହ୍ରାସ, କଞ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ବ୍ୟାବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜ୍‌ନେସ୍ ଆଦି ଅନ୍ୟତମ। ମେକ୍ ଇନ୍ ଇଣ୍ଡିଆକୁ ବାସ୍ତବବାଦୀ କରିବାକୁ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଛୋଟ ଛୋଟ ନୀତି ନିୟମ ଅନୁପାଳନରେ ଯେଉଁ ଅପରାଧିକ ଦଫା ଲଗାଯିବାର ବ୍ୟବସ୍ଥା ଥିଲା ତାହାକୁ ଉଠାଇ ନିଆଯାଇଛି। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ଉଦ୍ୟୋଗ ସ୍ଥାପନ ଓ ପୁଞ୍ଜିନିବେଶ ପ୍ରକ୍ରିୟା ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି।

ମେକ୍ ଇନ ଇଣ୍ଡିଆର ଆଉ ଏକ ବିଶେଷତ୍ୱ ହେଲା ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ ଉତ୍ପାଦନ ନୀତି । ଏହା ଫଳରେ ଦେଶୀ/ସ୍ଥାନୀୟ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଛି ଏବଂ ସ୍ଥାନୀୟ କାରିଗର, ଶିଳ୍ପୀ ଏବଂ ଉତ୍ପାଦନକାରୀମାନେ ଆନ୍ତର୍ଜାତିକ ସ୍ତରରେ ନିଜର ସାମଗ୍ରୀ ପହଞ୍ଚାଇବାର ସୁବିଧା ପାଇଛନ୍ତି। ପିଏମ୍ ଗତିଶକ୍ତି ଯୋଜନା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଆଉ ଏକ ବଡ଼ ସୁବିଧା ଆଣିଛି। ଏହି ଯୋଜନା ଦ୍ୱାରା ବଜାର ଓ ବିପଣନ ସୁବିଧା ବଢିଛି। ଘରୋଇ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଲାଭ ମିଳିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ-ଅଗଷ୍ଟ ସମୟରେ ଭାରତ ଘରୋଇ ଆବଶ୍ୟକତା ପୂରଣ କରି ୨୬୦୮.୫ କୋଟି ବା ୩୨୬ ନିୟୁତ ଡଲାର ପରିମାଣର ଖେଳଣା ବିଦେଶକୁ ପଠାଇଛି। ୨୦୧୩ର ଏହି ସମୟର ଖେଳଣା ରପ୍ତାନି ସହିତ ତୁଳନା କଲେ ଭାରତ ଏ କ୍ଷେତ୍ରରେ ରେକର୍ଡ ୬୩୬% ଏବଂ ୨୦୧୮-୧୯ ତୁଳନାରେ ୬୧% ଅଭିବୃଦ୍ଧି ହାସଲ କରିଛି।

ସମ୍ବନ୍ଧିତ ଖବର