ମେକ୍‌ ଇନ୍‌ ଇଣ୍ଡିଆକୁ ଝଟ୍‌କା:୩୨ ହଜାର କୋଟିର ମାଇନ୍‌ସ୍ୱିପର୍ସ ପ୍ରକଳ୍ପ ରଦ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ ସହ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିର୍ମାଣ ଚୁକ୍ତି ରଦ୍ଦ କରିବା ପରେ ଏବେ ମେକ୍‌ ଇନ୍‌ ଇଣ୍ଡିଆ ମାଧ୍ୟମରେ ଦକ୍ଷିଣକୋରିଆର ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ସମୁଦ୍ର ତଳ ବିସ୍ଫୋରକ ଧ୍ୱଂସକାରୀ ଜାହାଜ (ମାଇନ୍‌ସ୍ୱିପର) ପ୍ରକଳ୍ପକୁ କେନ୍ଦ୍ର ସରକାର ଚୁକ୍ତି ହେବା ପୂର୍ବରୁ ହିଁ ରଦ୍ଦ କରିଦେଇଛନ୍ତି। ଦକ୍ଷିଣକୋରିଆରୁ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତି ଆମଦାନୀ ଖର୍ଚ୍ଚ ସମେତ ଉପଲବ୍ଧ ସୁବିଧା ସୁଯୋଗରେ ଅସୁବିଧା ଆଶଙ୍କା କରି ସରକାର ଏହି ପ୍ରକଳ୍ପ ରଦ୍ଦ କରିଦେଇଥିବା ଜଣାପଡ଼ିଛି। ତେବେ ଏହାଦ୍ୱାରା ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆର ବାସ୍ତବ ସ୍ଥିତିରେ ବିରୋଧୀମାନେ ପ୍ରଶ୍ନବାଚୀ ଲଗାଇଛନ୍ତି।
ସୂଚନାଯୋଗ୍ୟ, ୩୨ ହଜାର କୋଟିର ଏହି ପ୍ରକଳ୍ପରେ ଦକ୍ଷିଣକୋରିଆ ସହାୟତାରେ ଭାରତ ସରକାର ନିଜ ଦେଶରେ ୧୨ଟି ଅତ୍ୟାଧୁନିକ ମାଇନ୍‌ସ୍ୱିପର ନିର୍ମାଣ କରିବା ନେଇ ଯୋଜନା କରିଥିଲେ। ଦକ୍ଷିଣକୋରିଆର କଙ୍ଗନାମ କମ୍ପାନି ଓ ଗୋଆସ୍ଥିତ ଯୁଦ୍ଧଯାହାଜ ନିର୍ମାଣ କାରଖାନାର ମିଳିତ ସହଯୋଗରେ ଏହି ପ୍ରକଳ୍ପ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୯ ଶହ ଟନ୍‌ ଓଜନର ଏହି ଅତ୍ୟାଧୁନିକ ମାଇନ୍‌ସ୍ୱିପର ଅଗଭୀର ଜଳରେ ବିଛାଯାଇଥିବା ବୋମା ସମେତ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରି ଧ୍ୱଂସ କରିପାରିବାର କ୍ଷମତା ରଖିଥାନ୍ତା। ଏହାର ବିନିଯୋଗ ଭାରତୀୟ ଜାହାଜ ଏବଂ ବୁଡ଼ାଜାହାଜଗୁଡ଼ିକର ଯାତାୟତକୁ ସୁରକ୍ଷିତ କରିଥାନ୍ତା।
ଉଲ୍ଲେଖ ଥାଉ କି, ଦେଶ ପାଇଁ ବର୍ତ୍ତମାନ ଅନ୍ୟୂନ ୩୦ଟି ମାଇନ୍‌ସ୍ୱିପରର ଆବଶ୍ୟକତା ଥିବା ବେଳେ ଏବେ ମାତ୍ର ୬ଟି, ତାହା ପୁଣି ଋଷିଆ ନିର୍ମିତ ୪୦ବର୍ଷ ତଳର ପୁରୁଣା ମାଇନସ୍ୱିପର କାମ ଚଳାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଚୀନ୍‌ ଓ ପାକିସ୍ତାନର ଔଦ୍ଧତ୍ୟ ଯୋଗୁଁ ସମୁଦ୍ରରେ ଏଭଳି ଅତ୍ୟାଧୁନିକ ମାଇନ୍‌ସ୍ୱିପରର ଆବଶ୍ୟକତା ଯଥେଷ୍ଟ ରହିଛି। ଦେଶରେ ରାଜନୈତିକ ଟଣାଓଟରା, ଶାସକ ସ୍ତରୀୟ ଅବହେଳା, ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟାର ସମସ୍ୟାକୁ ନେଇ ଗତ ୩-୪ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟିର ପ୍ରକଳ୍ପ ବାତିଲ ହୋଇଯାଇଛି। ସେଗୁଡ଼ିକ ମଧ୍ୟରେ ଉର୍ଦ୍ଧ୍ୱ ହାଲୁକା ହେଲିକପ୍ଟର, ଯୁଦ୍ଧବିମାନ, ନୌଜାହାଜ, ଅତ୍ୟାଧୁନିକ ଯୁଦ୍ଧ ବିମାନ, ବୁଡ଼ାଜାହାଜ ଏବଂ କ୍ଷେପଣାସ୍ତ୍ର ଆଦି ସାମରିକ ପ୍ରକଳ୍ପ ଚୁକ୍ତି ହେବା ପୂର୍ବରୁ ହିଁ ଅଟକିଯାଇଛି।

ସମ୍ବନ୍ଧିତ ଖବର