ଟ୍ବିଟାପ୍‌ଗ୍ରାମ୍‌ ବୁକ୍‌: ସମାଜିକ ଗଣମାଧ୍ୟମକୁ ବନ୍ଧୁକ ନୁହେଁ, ବୁଷ୍ଟର୍‌ କର

ଡାକ୍ତର ଅପର୍ଣ୍ଣା ଦେଶମୁଖ। ପୁନାର ଜଣେ ଜଣାଶୁଣା ଶଲ୍ୟ ଚିକିତ୍ସକ। ଏହି ପରିଶ୍ରମୀ ମହିଳା ଜଣକ ବହୁ ସଂଖ୍ୟାରେ ଅସ୍ତ୍ ରୋପଚାର କରନ୍ତି। ଆଭାଲ୍‌ମାୟା ନାମରେ ଏକ ବୃଦ୍ଧାଶ୍ରମ କରିଛନ୍ତି। ଡାକ୍ତରୀ ପେସାରୁ ମିଳୁଥିବା ପଇସାତକ ୫୨ ଜଣ ଅନ୍ତେବାସୀଙ୍କ ପାଇଁ ଖର୍ଚ୍ଚ କରିଦିଅନ୍ତି। ଥରେ ଏହି ଆଶ୍ରମ ଚରମ ଦୁର୍ଦ୍ଦିନର ସମ୍ମୁଖୀନ ହେଲା। ବିରାଟ କୋହଲିଙ୍କ ସହଯୋଗୀ ବନ୍ଧୁ ସୁନନ୍ଦନ ଲେଲେଙ୍କୁ ଏ କଥା ଡାକ୍ତର ଦେଶମୁଖ ଜଣାଇଲେ। ‌ଲେଲେ ଏହା ବିରାଟଙ୍କୁ ଦୃଷ୍ଟିକୁ ଆଣିଲେ। ବିରାଟ ତୁରନ୍ତ ଉକ୍ତ ଆଶ୍ରମ ପରିଦର୍ଶନର ଅଭିପ୍ରାୟ ଜଣାଇଲେ। ଡା. ଅପର୍ଣ୍ଣାଙ୍କୁ ଲେଲେ ଏହି ଖବର ଜଣାଇଲେ।

ପ୍ରଥମେ ହଠାତ୍ ସେ ବିଶ୍ବାସ କରିପାରିଲେନି। ଭାବିଲେ, ଆଇପିଏଲ୍‌ ଚାଲିଛି ପରା, ସେ ଏବେ କେମିତି ଆସିବେ? କିନ୍ତୁ ସତକୁ ସତ ଲେଲେଙ୍କ ସହ ଆସି ଆଶ୍ରମରେ ପହଞ୍ଚିଗଲେ କୋହଲି। ଆଶ୍ରମର ସବୁ ଦାଦାଦାଦିଙ୍କୁ ସେ ଜଣଜଣ କରି ଭେଟିଲେ। ପ୍ରତ୍ୟେକଙ୍କ ଶଯ୍ୟା ପାଖକୁ ଗଲେ। ପୂରା ୫୨ ଜଣଙ୍କଠାରୁ ସେମାନଙ୍କ ସବୁକଥା ପଚାରି ବୁଝିଲେ। ଏମିତିରେ ତ ଅନ୍ତେବାସୀଙ୍କ ଔଷଧ ଆଦି ଖର୍ଚ୍ଚ ନିଜେ ଡା. ଦେଶମୁଖ ଯୋଗାଡ଼ କରିବାରେ ଅସୁବିଧା ନଥିଲା। ହେଲେ ଉଭୟ କୋହଲି ଓ ଲେଲେ ମିଶି ‘ବିରାଟ କୋହଲି ଫାଉଣ୍ଡେସନ୍’ ତରଫରୁ ଦୁଇବର୍ଷ ସେହି ଆଶ୍ରମର ଅବଶିଷ୍ଟ ଖର୍ଚ୍ଚ ବହନ କରିବା ସହ ଆଶ୍ରମର ସବୁ ଋଣ ମଧ୍ୟ ପରିଶୋଧ କରିଦେଲେ। ତେବେ ଆହୁରି ବଡ଼ କଥା ହେଉଛି, ସେଦିନ ଆଶ୍ରମରୁ ଦୁହେଁ ଫେରିବା ପାଇଁ କାର୍‌ରେ ବସିବା ବେଳଠୁ କିଛି ସମୟ ପାଇଁ ଦୁହିଁଙ୍କ ଆଖି ଛଳଛଳ ହୋଇଯାଇଥିଲା। ଜଣକ ଆଖିରୁ ଦୁଃଖର ଲୋତକ ତ ଆର ଜଣକ ଆଖିରୁ ଆନନ୍ଦାଶ୍ରୁ ଗଡ଼ୁଥିଲା ସେଦିନ।

ଅସହାୟ ବୟସ୍କ ଲୋକଙ୍କ ଅସହାୟତା କଥା ଭାବି କୋହଲି ଦୁଃଖରେ କାନ୍ଦୁଥିଲେ ତ କୋହଲିଙ୍କ ସମ୍ବେଦନଶୀଳତା ଦେଖି ଲେଲେ ଖୁସିରେ ଆତ୍ମହରା ହେଉଥିଲେ। ବ୍ୟକ୍ତିଗତ ଜୀବନରେ କୋହଲି ସତରେ କେମିତି ବୋଲି ଏକ ପ୍ରଶ୍ନରେ ଲେଲେ କହିଲେ, ‘‘ନଡ଼ିଆ ପରି କୋହଲି ଭିତରେ କୋମଳ। ୟାରୋଁ କା ୟାର୍ ଭି ହୈ ୱୋ।’’ ଏହି ପୋଷ୍ଟଟିର ଭଲ ଦିଗଟି ହେଲା ପ୍ରାୟ ସମସ୍ତେ ପ୍ରଶଂସାସୂଚକ କଥାମାନ ନିଜନିଜ ପ୍ରତିକ୍ରିୟାରେ ଲେଖିଛନ୍ତି। କେବଳ ଏମିତି ସକାରାତ୍ମକ ଭାବନାରେ ଆମ ସମାଜକୁ ଆଚ୍ଛାଦିତ କରନ୍ତାନି ସାମାଜିକ ଗଣମାଧ୍ୟମ! ଅବଶ୍ୟ ସମାଜ ଭଲ ହେଲେ ସାମାଜିକ ଗଣମାଧ୍ୟମ ବି ଭଲ ହେବ। ଲୋକେ ଭଲ କରିଚାଲିଲେ ସାମାଜିକ ଗଣମାଧ୍ୟମ ବୁଷ୍ଟର୍‌ ଭାବେ କାମ କରିବ। ଖରାପ କଲେ ଏହା ବନ୍ଧୁକ ଭଳି ବ୍ୟବହୃତ ହୋଇଚାଲିବ।

ସମ୍ବନ୍ଧିତ ଖବର