ଆଇସିସିର ୯୫ତମ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, କୋଭିଡ୍‌ ସଂକଟକୁ ସୁଯୋଗରେ ପରିଣତ କର

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଭଳି ଭାରତ ମଧ୍ୟ କୋଭିଡ-୧୯ ବିରୋଧରେ ଲଢ଼େଇ କରୁଛି। ଏଭଳି ଜଟିଳ ସମୟରେ ଅନ୍ୟାନ୍ୟ ପ୍ରତିବନ୍ଧକକୁ ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ତେଣୁ ଦେଶର ପ୍ରତ୍ୟେକ ନାଗରିକ ଏହି ସଂକଟକୁ ସୁଯୋଗରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଏହି ସଂକଟକୁ ଦେଶ ପାଇଁ ଏକ କ୍ରାନ୍ତିକାରୀ ମୋଡ଼ରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ତେବେ ସେହି କ୍ରାନ୍ତିକାରୀ ମୋଡ଼ଟି ହେଲା ଆତ୍ମନିର୍ଭର ଭାରତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତୀୟ ବାଣିଜ୍ୟ ସଂଘ (ଆଇସିସି)ର ୯୫ତମ ସାଧାରଣ ଅଧିବେଶନର ଉଦଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି।

କରୋନା ସଂକଟ ବେଳେ ଗତ କିଛିମାସ ହେଲା ଦେଶର କିଛି ଭାଗରେ ଭିନ୍ନ ଭିନ୍ନ ସମସ୍ୟା ଦେଖାଦେଇଛି। ଦେଶର କେତେକ ସ୍ଥାନରେ ପଙ୍ଗପାଳଙ୍କ ଉପଦ୍ରବ ଦେଖାଦେଇଛି। ଆଉ କେତେକ ସ୍ଥାନରେ ଭୂମିକମ୍ପ ଓ ଅନ୍ୟ କେତେକ ସ୍ଥାନରେ ବାତ୍ୟା ସଂଘଟିତ ହୋଇଛି। ଆସାମରେ ତୈଳ କୂପରେ ନିଆଁ ଲାଗିବା ସହିତ ବନ୍ୟା ମଧ୍ୟ ଦେଖାଦେଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଆମେ ଏକାଠି କାମ କରୁଛୁ। କେବଳ ଦୃଢ଼ ସଂକଳ୍ପ ହିଁ ଆମର ଭବିଷ୍ୟତକୁ ନିର୍ଣ୍ଣୟ କରିବ। ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ଆମକୁ ଦୃଢ଼ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି। ଆଇସିସିର ଏହି ଅଧିବେଶନ କୋଲକାତାରେ ଅନୁଷ୍ଠିତ ହେଉଛି। ତେଣୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ବଙ୍ଗଳାର ଐତିହାସିକ ଉତ୍କର୍ଷ ରହିଛି। ଆମେ ସବୁବେଳେ ଶୁଣିଛେ ଯେ ବଙ୍ଗଳା ଆଜି ଯାହା ଚିନ୍ତା କରେ, ଭାରତ ଆସନ୍ତାକାଲି ତାହା ଚିନ୍ତା ‌କରେ। ଏହି ବାକ୍ୟକୁ ଆମେ ପ୍ରେରଣା ଭାବେ ଗ୍ରହଣ କରି ମିଳିତ ଭାବେ ଆଗକୁ ବଢ଼ିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୯୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଇସିସିକୁ ଅଭିନନ୍ଦନ ଜଣାଇ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଆଇସିସି ଅନେକ କଠିନ ମୂହୂର୍ତ୍ତର ସାମ୍ନା କରିଛି ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଉଲ୍ଲେଖନୀୟ ଯୋଗଦାନ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ଏକ ପ୍ରମୁଖ ସଂଗଠନ ଆଇସିସି ବୋଲି ମୋଦୀ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର