ଇନ୍ଦୋର : କ୍ରମାଗତଭାବେ ଷଷ୍ଠ ଥର ପାଇଁ ସ୍ବଚ୍ଛତମ ସହରର ମାନ୍ୟତା ପାଇଛି ଇନ୍ଦୋର। ଦୈନିକ ଏହି ସହରରୁ ୧,୯୦୦ ଟନ୍ ଆବର୍ଜନା ବାହାରୁଥିବା ବେଳେ ଏହି ଆବର୍ଜନାକୁ ବିନିଯୋଗ କରି ନଗରପାଳିକା କୋଟି କୋଟି ଟଙ୍କା ଆୟ କରୁଛି। ଏହି ଆବର୍ଜନାରୁ ଉତ୍ପନ୍ନ ଇନ୍ଧନରେ ବସ୍ ବି ଚାଲୁଛି। ଶନିବାର ଏହି ସହରକୁ ସ୍ବଚ୍ଛତମ ସହର ଭାବେ ପୁରସ୍କୃତ କରାଯାଇଛି।
ସାଧାରଣତଃ ଅଳିଆ ସଂଗ୍ରହ କଲାବେଳେ ଦୁଇଟି ବର୍ଗରେ ସଂଗ୍ରହ କରାଯାଏ, ଗୋଟିଏ ଓଦା ଓ ଗୋଟିଏ ଶୁଖିଲା। କିନ୍ତୁ ଇନ୍ଦୋରରେ ଛଅଟି ବର୍ଗରେ ଅଳିଆ ସଂଗ୍ରହ କରାଯାଏ। ଇନ୍ଦୋର ହେଉଛି ମଧ୍ୟପ୍ରଦେଶର ବୃହତ୍ତମ ସହର, ଯାହାର ଲୋକସଂଖ୍ୟା ୩୫ ଲକ୍ଷ। ଏହି ସହରରେ କୌଣସି ଗାର୍ବେଜ-ବିନ୍ ନାହିଁ, ଯଦିଓ ସହରରୁ ଦୈନିକ ୧,୨୦୦ ଟନ୍ ଶୁଖିଲା ଓ ୭୦୦ ଟନ୍ ଓଦା ଅଳିଆ ବାହାରିଥାଏ। ନଗରପାଳିକାର ୮୫୦ଟି ଗାଡ଼ି ଘରଘର ବୁଲି ଅଳିଆ ସଂଗ୍ରହ କରେ ଏବଂ ସେଗୁଡ଼ିକୁ ଗାଡ଼ିଗୁଡ଼ିକରେ ଥିବା ଛଅଟି ଡବାରେ ଅଲଗା ଅଲଗା କରି ଅଣାଯାଏ। ପୌର ନିଗମର ଗୋଟିଏ ବାୟୋ-ସିଏନ୍ଜି ପ୍ଲାଣ୍ଟ ଅଛି। ଓଦା ଆବର୍ଜନା ଦ୍ବାରା ଏହି ପ୍ଲାଣ୍ଟ ଚାଲେ। ଏହି ପ୍ଲାଣ୍ଟ ହେଉଛି ଅନୁରୂପ ପ୍ଲାଣ୍ଟ ଭିତରେ ଏସିଆରେ ବୃହତ୍ତମ।
ଚଳିତବର୍ଷ ଫେବ୍ରୁଆରି ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ୫୫୦ ଏମ୍ଟି କ୍ଷମତାବିଶିଷ୍ଟ କାରଖାନା ଉଦ୍ଘାଟନ କରିଥିଲେ। ଏହି ପ୍ଲାଣ୍ଟରୁ ୧୭,୦୦୦ରୁ ୧୮,୦୦୦ କେଜି ବାୟୋ-ସିଏନ୍ଜି ଏବଂ ୧୦ ଟନ୍ ଜୈବିକ ସାର ଉତ୍ପାଦନ କରାଯାଇପାରୁଛି। ଉକ୍ତ ବାୟୋ-ସିଏନ୍ଜିରେ ପ୍ରାୟ ୧୫୦ଟି ସିଟି ବସ୍ ଚାଲୁଛି। ଗତ ଆର୍ଥିକ ବର୍ଷରେ ଆବର୍ଜନାର ପ୍ରକ୍ରିୟାକରଣ କରି ପୌର ନିଗମ ୧୪.୪୫ କୋଟି ଟଙ୍କା ଆୟ କରିଛି। ଏଥିସହ ଅନ୍ତର୍ଜାତୀୟ ବଜାରରେ କାର୍ବନ କ୍ରେଡିଟ୍ ବିକ୍ରି କରି ୮.୫ କୋଟି ଟଙ୍କା ଆୟ କରିଛି। ଚଳିତ ଆର୍ଥିକ ବର୍ଷରେ ଏହା ୨୦ କୋଟି ଟଙ୍କା ଆୟ କରିବ ବୋଲି ଶର୍ମା କହିଛନ୍ତି। ଇନ୍ଦୋରରେ ତିନୋଟି ସିଫ୍ଟରେ ୮,୫୦୦ ସଫେଇ କର୍ମଚାରୀ କାମ କରୁଛନ୍ତି। ସହରରେ ଡ୍ରେନ୍ଗୁଡ଼ିକରେ ଯେଉଁ ଆବର୍ଜନା ସୃଷ୍ଟି ହେଉଛି ତାକୁ ମଧ୍ୟ ତିନୋଟି ସ୍ବତନ୍ତ୍ର ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି। ସେଥିରୁ ବାହାରୁଥିବା ପାଣିକୁ ୨୦୦ ବଗିଚା ଓ କୃଷି ଫାର୍ମରେ ଜଳସେଚନ କରିବାରେ ଏବଂ ନିର୍ମାଣ କାର୍ଯ୍ୟ ଆଦିରେ ବ୍ୟବହାର କରାଯାଉଛି।