ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ପ୍ରତି କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକେ ପୁରୀକୁ ଆସିଥାନ୍ତି। ହେଲେ ଦେଶ ବାହାରେ ଏମିତି ଅନେକ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି, ଯେଉଁମାନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ରହୁଛନ୍ତି। ଏ ନେଇ ଲଣ୍ଡନରେ ରହୁଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କ ପାଇଁ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ଦ୍ରୁତ ଗତିରେ ସମଗ୍ର ବିଶ୍ୱରେ ବ୍ୟାପୁଥିବା ବେଳେ ଲଣ୍ଡନରେ ଖୁବ୍ ଶୀଘ୍ର ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ବ୍ରିଟେନ ଏବଂ ୟୁରୋପରେ ଏହା ପ୍ରଥମ ହୋଇଥିବା ବେଳେ ବ୍ରିଟେନ ତଥା ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତମାନେ କରିଥିବା ଦାନ ଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଏନେଇ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି। ଗତକାଲି ମାଘପୂର୍ଣ୍ଣିମାର ଶୁଭ ଅବସରରେ ଏହି ଘୋଷଣା କରାଯିବା ସହ ଲଣ୍ଡନରେ ପ୍ରଭୁ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ୩୦ ଏକର ଜମି ଅଧିଗ୍ରହଣ ପାଇଁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି।
ଭିଡିଓ କନଫରେନ୍ସିଂ ଜରିଆରେ ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟି(ଏସଜେଏସ ୟୁକେ)ର ଇ-ନିଉଜଲେଟରର ଉଦଘାଟନ କରିବା ସହ ଲଣ୍ଡନରେ ନିର୍ମାଣ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ଓଡିଶା ସରକାର ସମସ୍ତ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହା ପରେ ଏସଜେଏସ ୟୁକେର ଚେୟାରମ୍ୟାନ୍ ଡକ୍ଟର ସହଦେବ ସ୍ୱାଇଁ ପ୍ରଥମେ ଏସଜେଏସ ୟୁକେ ନ୍ୟୁଜଲେଟର ଉଦ୍ଘାଟନ ପାଇଁ ଅଭିନନ୍ଦନ ଜଣାଇବା ସହ ବ୍ରିଟେନର ଲଣ୍ଡନରେ ହେବାକୁ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ ବୋଲି କହିଥିଲେ।
ଡକ୍ଟର ସ୍ୱାଇଁ ଆହୁରି ମଧ୍ୟ କହିଥିଲେ ଯେ, ଭଗବାନ ଜଗନ୍ନାଥଙ୍କ ସହ ଜଡିତ ସମସ୍ତ ଶାସ୍ତ୍ରୀୟ ପବିତ୍ର ଚିହ୍ନ ଧାରଣ କରିଥିବା ଏକ ପବିତ୍ର ଲିମ୍ବ ଗଛକୁ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ପ୍ରତିମା ପାଇଁ ଏସଜେଏସ ୟୁକେକୁ ଦାନ କରାଯାଇଛି। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତିଙ୍କ ପରାମର୍ଶରେ ସମସ୍ତ ନିର୍ଦ୍ଦିଷ୍ଟ ଧାର୍ମିକ ରୀତିନୀତି ପାଳନ କରିବା ପରେ ଫେବ୍ରୁଆରି ୨୧,୨୦୨୧ର ଶୁଭ ଦିନରେ ଗଛଟିକୁ କଟାଯାଇ ତିନି ଠାକୁରଙ୍କ ପ୍ରତିମା ନିର୍ମାଣ ପାଇଁ ପଠାଯାଇଛି। ତିନି ଠାକୁରଙ୍କ ପ୍ରତିମା ନିର୍ମାଣ କାମ ପ୍ରସିଦ୍ଧ ସ୍ଥପତି ତଥା ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ କର୍ମଶାଳାରେ କରାଯିବ। ଏବଂ ସଠିକ ସମୟରେ ଏହାକୁ ଲଣ୍ଡର ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯିବ। ୨୦୨୪ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।
ଏସଜେଏସ ୟୁକେର ସଚିବ ଡକ୍ଟର ପ୍ରକାଶ ଦେ ମନ୍ଦିର ପ୍ରକଳ୍ପର ଯାତ୍ରା, ପ୍ରଗତି ଏବଂ ଭବିଷ୍ୟତର ରୋଡମ୍ୟାପ ବିଷୟରେ ଏକ ଅଦ୍ୟତନ ପ୍ରଦାନ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହରେ ଲଣ୍ଡନ ଉପକଣ୍ଠରେ ଚିହ୍ନଟ ହୋଇଥିବା ୩୦ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସହ ଆନୁଷ୍ଠାନିକ ପରାମର୍ଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏକ ବୃହତ ଇକୋ-ଫ୍ରେଣ୍ଡଲି ମାନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଥପତିଙ୍କ ସହ ଏହି ଟିମ୍ ଆଲୋଚନା କରୁଛି, ଯାହା ପୁରୀ ଜଗନ୍ନାଥ ମନ୍ଦିରର ପ୍ରୋଟୋଟାଇପ୍ ଉପରେ ଆଧାରିତ ହେବ।
ଏସଜେଏସ ୟୁକେର ଟ୍ରଷ୍ଟି ରଶ୍ମୀ କାନ୍ତ ନନ୍ଦ ଏହି ପ୍ରକଳ୍ପକୁ ସମର୍ଥନ କରି ବିଭିନ୍ନ ୱାର୍କଷ୍ଟ୍ରିମ୍ ଗଠନ ବିଷୟରେ ଏକ ସୂଚନା ପ୍ରଦାନ କରିଥିଲେ ଏବଂ ୨୦୨୧ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ 'ଜିଇଏଆର' (ସଦସ୍ୟ ବୃଦ୍ଧି, ଦଳ ସମ୍ପ୍ରସାରଣ, ଜମି ଅଧିଗ୍ରହଣ ଏବଂ ପାଣ୍ଠି ସଂଗ୍ରହ) ପାଇଁ ସୋସାଇଟିର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏସଜେଏସ ୟୁକେର ଟ୍ରଷ୍ଟି ଅର୍ଚ୍ଚନା ମାନସିଂହ ଓ ବିଜୟ ସାହୁ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଟ୍ରଷ୍ଟି ଡକ୍ଟର ମଳୟ ନାୟକ, ଭକ୍ତ ପଣ୍ଡା, ଡକ୍ଟର ଆଦିତ୍ୟ ସିଂହ, ସୁକାନ୍ତ ସାହୁ, ନିଉଜଲେଟରର ସମ୍ପାଦକ ଉମାକାନ୍ତ ରାଉତ ଏବଂ ରୀନା ମେହେର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହା ସହ ମହିଳା ସ୍ବେଚ୍ଛାସେବୀମାନଙ୍କୁ ନେଇ ଗଠିତ ଶ୍ରୀ ସୁଭଦ୍ରା ସୋସାଇଟି ପକ୍ଷରୁ ଶ୍ରୀମତୀ ଶତାବ୍ଦୀ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏସଜେଏସ ୟୁକେ ସହ ହାତ ମିଳାଇ ଏହି ସୋସାଇଟି ରଖିଥିବା ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବାକୁ ଭକ୍ତମାନଙ୍କୁ କହିଥିଲେ ଶ୍ରୀମତୀ ଶତାବ୍ଦୀ ଦାସ।