ଶାନ୍ତି ପାଇଁ ନିବେଦନ କଲେ କଶ୍ମୀରୀ ଶିଶୁ ଓ ମହିଳାଙ୍କ ପାଇଁ ଚିନ୍ତିତା ପାକିସ୍ତାନୀ ନୋବେଲ୍‌ ବିଜୟିନୀ ମଲାଲା

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନର ନୋବେଲ୍‌ ପୁରସ୍କାର ପ୍ରାପ୍ତ ମଲାଲା ୟୁସଫଜାଇ କଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

ଟୁଇଟ୍‌ କରି ମଲାଲା ଗୁରୁବାର ଦିନ କହିଛନ୍ତି: ମୋ ପିଲା କାଳରୁ, ମୋ ବାପାମାଆଙ୍କ ପିଲାକାଳରୁ, ମୋ ଜେଜେଜେଜିଙ୍କ ଯୁବାବସ୍ଥାରୁ କଶ୍ମୀରବାସୀ ସଂଘର୍ଷ ମଧ୍ୟରେ ବାସ କରୁଛନ୍ତି। ସାତ ଦଶନ୍ଧି ଧରି କଶ୍ମୀରର ପିଲାମାନେ ହିଂସା ଗହଣରେ ବଢ଼ିଛନ୍ତି।

କଶ୍ମୀରବାସୀ, ବିଶେଷକରି ମହିଳା ଓ ଶିଶୁମାନଙ୍କ ନିରାପତ୍ତା ସମ୍ବନ୍ଧରେ ଚିନ୍ତା ପ୍ରକଟ କରି ମଲାଲା କହିଲେ, ହିଂସାରେ ସବୁଠୁ ଅଧିକ ସରବ୍ୟ ହେଉଥିବା ଏବଂ ଯୁଦ୍ଧରେ କ୍ଷତି ସହୁଥିବା କଶ୍ମୀରୀ ପିଲା ଓ ମହିଳାଙ୍କ ସୁରକ୍ଷା ସମ୍ବନ୍ଧରେ ମୁଁ ଚିନ୍ତିତା।

Image Source: Dawn

ଦୁର୍ଦ୍ଦଶା ଭୋଗିବା ଏବଂ ପରସ୍ପରକୁ ଆଘାତ କରିବା ଅନାବ୍ୟକ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି।

କଶ୍ମୀରରେ ଶାନ୍ତି ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଆବେଦନ କରି ସେ କହିଛନ୍ତି, ମୁଁ ଆଶା କରୁଛି ସମସ୍ତ ଦକ୍ଷିଣ ଏସୀୟ, ଅନ୍ତର୍ଜାତୀୟ ସମୁଦାୟ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ସେମାନଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେବେ। ଆମ୍ଭମାନଙ୍କ ମଧ୍ୟରେ ଯାହା ମତାନ୍ତର ରହିଥାଉ ପଛେ, ଆମେ ମାନବିକ ଅଧିକାରକୁ ସୁରକ୍ଷା ଦେବା, ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଏବଂ କଶ୍ମୀରରେ ସାତ ଦଶନ୍ଧି ପୁରୁଣା ସଂର୍ଘଷକୁ ଶାନ୍ତିରେ ସମାଧାନ କରିବା ପାଇଁ ଧ୍ୟାନ ଦେବା।

ସମ୍ବନ୍ଧିତ ଖବର