କରାଚୀ: ନାରୀ ଶିକ୍ଷା ସପକ୍ଷରେ ଲଢ଼ୁଥିବା ଯୋଗୁ ତାଲିବାନ ଆତଙ୍କବାଦୀଙ୍କ ହତ୍ୟା ଉଦ୍ୟମର ଶିକାର ହେବାର ୧୦ ବର୍ଷ ପରେ ନୋବେଲ ଶାନ୍ତି ବିଜୟିନୀ ମଲାଲା ୟୁସୁଫଜାଇ ମଙ୍ଗଳବାର ବନ୍ୟା ଦୁର୍ଗତଙ୍କ ଅବସ୍ଥା ଦେଖିବା ପାଇଁ ତାଙ୍କ ନିଜ ଦେଶ ପାକିସ୍ତାନ ଗସ୍ତ କରିଛନ୍ତି। ଆକ୍ରମଣର ଶିକାର ହେବା ପରେ ଏହା ତାଙ୍କର ଦ୍ବିତୀୟ ପାକିସ୍ତାନ ଗସ୍ତ।
ୟୁସୁଫଜାଇ ଯେତେବେଳେ ୧୫ ବର୍ଷ ବୟସର ହୋଇଥିଲେ ସେତେବେଳେ ପାକିସ୍ତାନୀ ତାଲିବାନ ଉଗ୍ରବାଦୀମାନେ ତାଙ୍କ ମୁଣ୍ଡକୁ ଗୁଳିଚାଳନା କରିଥିଲେ। କାରଣ ୟୁସୁଫଜାଇ ନିଜେ ପଢ଼ିବାକୁ ଚାହିବା ସହ ନାରୀଶିକ୍ଷାକୁ ସମର୍ଥନ କରି ସେଥିପାଇଁ ଲଢ଼େଇ କରୁଥିଲେ ଯାହାକୁ ଧାର୍ମିକ ମୌଳବାଦୀମାନେ ପସନ୍ଦ କରୁ ନ ଥିଲେ। ସେତେବେଳେ ଗୁରୁତର ଆହତ ମଲାଲାଙ୍କୁ ବିମାନ ଯୋଗେ ବ୍ରିଟେନ ନିଆଯାଇ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା ଏବଂ ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ସର୍ବକନିଷ୍ଠ ବ୍ୟକ୍ତି।
ଏବେ ଉକ୍ତ ମରଣାତ୍ମକ ଆକ୍ରମଣକୁ ୧୦ ବର୍ଷ ପୂରିବାର ଦୁଇଦିନ ପରେ ୟୁସୁଫଜାଇ ତାଙ୍କ ଦେଶକୁ ଦ୍ବିତୀୟ ଥର ପାଇଁ ଆସିଛନ୍ତି। ମଙ୍ଗଳବାର ସେ କରାଚୀରେ ପହଞ୍ଚିଛନ୍ତି। ସେଠାରୁ ମୌସୁମୀ ବର୍ଷାଜନିତ ଅଭୂତପୂର୍ବ ବନ୍ୟାରେ ବିପର୍ଯ୍ୟସ୍ତ ଅଞ୍ଚଳଗୁଡ଼ିକୁ ସେ ଗସ୍ତ କରିବେ। ତାଙ୍କର ଉଦ୍ଦେଶ୍ୟ ହେଉଛି ବନ୍ୟାଦୁର୍ଗତ ପାକିସ୍ତାନୀଙ୍କ ସାହାଯ୍ୟାର୍ଥେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା। ତାଙ୍କ ସଂଗଠନ ‘ମଲାଲା ଫଣ୍ଡ୍’ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପ୍ରଳୟଙ୍କରୀ ବନ୍ୟାରେ ପାକିସ୍ତାନର ଏକତୃତୀୟାଂଶ ଜଳମଗ୍ନ ହୋଇଯାଇଥିଲା। ୮ ନିୟୁତ ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଥିଲା। ସେମାନେ ଏବେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ବନ୍ୟାରେ ପାକିସ୍ତାନର ପ୍ରାୟ ୨୮ ଶହ କୋଟି ଡଲାରର କ୍ଷତି ହୋଇଛି।
ସ୍ବାତ ଉପତ୍ୟକାର ମିଙ୍ଗୋରାରେ ମଲାଲାଙ୍କ ଜନ୍ମ ଓ ସେଇଠି ରହିଛି ତାଙ୍କର ପୈତୃକ ଘର। ପାକିସ୍ତାନୀ ତାଲିବାନ ଉଗ୍ରବାଦୀମାନେ ବର୍ଷେ କାଳ ଉକ୍ତ ଅଞ୍ଚଳରେ ହିଂସା ଭିଆଇବା ପରେ ୨୦୧୪ରେ ସେନା କାର୍ଯ୍ୟାନୁଷ୍ଠାନ ଫଳରେ ଶାନ୍ତି ଫେରିଥିଲା। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ପୁଣି ହିଂସା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି ମଲାଲା ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ ସେହି ସ୍କୁଲର ଛାତ୍ରଛାତ୍ରୀମାନେ ଷ୍ଟ୍ରାଇକ୍ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନମାନେ କ୍ଷମତାକୁ ଫେରିବା ପରେ ଉକ୍ତ ଅଞ୍ଚଳରେ ହିଂସା ବୃଦ୍ଧି ପାଇଛି। ତେଣୁ ଶାନ୍ତି ପାଇଁ ନିଜ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନଙ୍କୁ ସମର୍ଥନ କରି ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି କରିବା ମଲାଲା ୟୁସୁଫଜାଇଙ୍କ ପାକିସ୍ତାନ ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।