କୋଟ୍ଟୟମ୍: କେରଳର କୋଟ୍ଟୟମ୍ ଅନ୍ତର୍ଗତ ପମ୍ପଡ଼ୀ ନିକଟରେ ଥିବା ଏକ ହୋଟେଲ୍ ପରିସରରେ ରଖାଯାଇଥିବା କାର୍ ଭିତରୁ ମଲୟାଲମ୍ ଚଳଚ୍ଚିତ୍ର ଅଭିନେତା ବିନୋଦ ଥୋମାସ୍ଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି।
ହୋଟେଲ୍ ପରିସରରେ ‘ପାର୍କ’ କରାଯାଇଥିବା ଗୋଟାଏ କାର୍ରେ ଦୀର୍ଘ ସମୟ ହେବ ଜଣେ ଲୋକ ଥିବା କଥା ହୋଟେଲ୍ ପରିଚାଳନା ପୁଲିସକୁ ସୂଚନା ଦେବା ପରେ ଜଣାପଡ଼ିଲା ଯେ, ମୃତୁ ବ୍ୟକ୍ତି ହେଉଛନ୍ତି ୪୫ ବର୍ଷିୟ ଅଭିନେତା ବିନୋଦ ଥୋମାସ୍।
ପୁଲିସ କହିଛି, କାର୍ ଭିତରୁ ବାହାର କରି ଆମେ ତାଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନେଲୁ। ପରୀକ୍ଷା କରିବା ପରେ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କଲେ। ମୃତ୍ୟୁର କାରଣ ଜାଣିବା ଲାଗି ତାଙ୍କ ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ପଠାଇ ଦିଆଯାଇଛି।
ପ୍ରାରମ୍ଭିକ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, କାର୍ର ‘ଏସି’ରୁ ନିର୍ଗତ ବିଷାକ୍ତ ବାଷ୍ପ ଆଘ୍ରାଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ବେଳେ ବିନୋଦ ବାର୍ରେ ପହଞ୍ଚିଥିଲେ। ଆଜି ଭୋର୍ ୫.୩୦ରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ କାର୍ ଭିତରେ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ତାଙ୍କୁ ଡାକିବାରୁ ସେ କୌଣସି ଜବାବ ଦେଲେ ନାହିଁ। ତେଣୁ, ସେମାନେ କାର୍ର ‘ସାଇଡ୍ ଉଇଣ୍ଡୋ’ ଭାଙ୍ଗି କାର୍ର ଡୋର୍ ଖୋଲିଥିଲେ।
‘ଆୟାପ୍ପାନୁମ୍ କୋଶ୍ୟୁମ୍’, ‘ନତୋଲି ଓରୁ ଚେରିୟା ମୀନାଲ୍ଲା’, ‘ଓରୁ ମୁରାଇ ୱାନ୍ତ ପାତାୟା’ ‘ହାପି ୱେଡିଙ୍ଗ୍’ ଏବଂ ‘ଜୁନ୍’ ଆଦି ଚଳଚ୍ଚିତ୍ରରେ ସେ ଉଲ୍ଲେଖନୀୟ ଅଭିନୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ।