ଖ୍ୟାତନାମା ମାଲାୟାଲମ୍‌ ଚଳଚ୍ଚିତ୍ର ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ମାମଲା ରୁଜୁ

ବେଙ୍ଗାଲୁରୁ: ଜନୈକା ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଏବଂ ଫେସବୁକ୍‌ ଲାଇଭ୍‌ ଜରିଆରେ ସଂପୃକ୍ତା ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଜଣାଶୁଣା ମାଲାୟାଲମ୍‌ ଚଳଚ୍ଚିତ୍ର ନିର୍ମାତା-ଅଭିନେତା ବିଜୟ ବାବୁଙ୍କ ନାମରେ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ତେବେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ବିଜୟଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିବା ପରଠାରୁ ଫେରାର ଥିବା ଅଭିଯୁକ୍ତ ବିଜୟ ବାବୁ ଏକ ଫେସବୁକ୍‌ ଲାଇଭ୍‌ ଅଧିବେଶନରେ ଆସି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି କହିଛନ୍ତି ଯେ ସେ ଏକ ଷଡଯନ୍ତ୍ରର ଶିକାର ହୋଇଛନ୍ତି।

ମାଲାୟାଲମ୍‌ ଚଳଚ୍ଚିତ୍ର ନିର୍ମାତା-ଅଭିନେତା ବିଜୟ ବାବୁ ଯିଏ କି ପ୍ରଡକ୍ସନ୍‌ କମ୍ପାନି ଫ୍ରାଇଡେ ଫିଲ୍ମ ହାଉସର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି ସେ ପୀଡ଼ିତାଙ୍କ ନାମ ଏବଂ ପରିଚୟ ସାଧାରଣରେ ପ୍ରକାଶ କରିଦେଇ ଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଥିବା ଜାଣିବାକୁ ମିଳିଛି।

ପ୍ରଥମେ ତାଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଯେହେତୁ ସେ ପୀଡିତାଙ୍କ ପରିଚୟ ପ୍ରକାଶ କରିଥିଲେ, ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏହି ଅଭିଯୋଗ ମିଳିବା ଏବଂ ତାଙ୍କ ନାମରେ ମାମଲା ରୁଜୁ ହେବା ପରେ ସେ ବର୍ତ୍ତମାନ ସହର ଛାଡ଼ି ଫେରାର ହୋଇ ଯାଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ବିଜୟ ବାବୁଙ୍କ ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ନିର୍ମିିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପୀଡ଼ିତା ମହିଳା ଏପ୍ରିଲ ୨୨ରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ଗତ ଦେଢ଼ ମାସ ଧରି ନିର୍ମାତା-ଅଭିନେତାଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଏବଂ ଯୌନ ଶୋଷଣର ଶିକାର ହୋଇଥିବା ଆଗତ ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର