ମୋ ବ୍ୟାଗରେ ବୋମା ଅଛି: ଦିଲ୍ଲୀରୁ ମାଲେସିଆ ଯାଉଥିବା ବିମାନରେ ବୋମା ଗୁଜବ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ସାମାନ୍ୟ ଯୁକ୍ତିତର୍କ ପାଇଁ ଯାତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ନାକେଦମ ହେବାକୁ ପଡିଛି | ମାଲେସିଆ ଅଭିମୁଖେ ଯିବାକୁ ଥିବା ଏକ ବିମାନରେ ବୋମା ଥିବାର ସୂଚନା ମିଳିବା ପରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା | ଅବଶ୍ୟ ପରେ ଏହା ଏକ ଗୁଜବ ଥିବାର ଜଣାପଡିଥିଲା | ଗୁଜବ ଯୋଗୁଁ ବିମାନଟି ପ୍ରାୟ ତିନି ଘଣ୍ଟା ବିଳମ୍ବରେ ମାଲେସିଆ ଅଭିମୁଖେ ଯାତ୍ରା କରିଛି । ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧ଟା ସମୟରେ ମାଲେସିଆ ଏୟାରଲାଇନ୍ସର ଏମଏଚ୧୭୩ ବିମାନନରେ ବୋମା ଥିବାର ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ଏବାବଦରେ କୁହାଯାଇଥିଲା |

ଏହା ପରେ ସୁରକ୍ଷାକର୍ମୀମାନେ ସମଗ୍ର ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଅନୁସନ୍ଧାନ ପରେ କିଛି ନ ମିଳିବା ପରେ ବିମାନଟି ଦୁଇ ଘଣ୍ଟା ୪୦ ମିନିଟ୍ ବିଳମ୍ବରେ କୁଆଲାଲମ୍ପୁର ଅଭିମୁଖେ ଯାତ୍ରା କରିଥିଲା ​​ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି | ବିମାନବନ୍ଦରର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବ୍ୟାଗକୁ ରଖିବା ନେଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜଣେ ଯାତ୍ରୀ ଅନ୍ୟ ଜଣକୁ ତାଙ୍କ ବ୍ୟାଗରେ କଣ ପଚାରିଥିଲେ ଏବଂ ଅନ୍ୟଜଣେ ‘ବୋମା’ ଥିବାର କହିଥିଲେ ।

ପାଇଲଟଙ୍କୁ ଏ ବିଷୟରେ ଅବଗତ କରାଯିବା ପରେ ପାଇଲଟ ଏଟିସିକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲେଇ ଯାଞ୍ଚ କରାଯାଇଥିଲା | ଏହା ଏକ ଗୁଜବ ଥିବାର ଜଣାପଡିଥିଲା | ଆଉ ଏହି ଗୁଜବ ପ୍ରସାରିତ କରିଥିବା ଚାରି ଜଣ ଯାତ୍ରୀଙ୍କୁ ଏବେ ଅଟକ ରଖାଯାଇଛି |

ସମ୍ବନ୍ଧିତ ଖବର