ଭାରତର ତେଜସ ଲଢୁଆ ବିମାନ କିଣିବାକୁ ମାଲେସିଆର ଆଗ୍ରହ

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ଏଲସିଏ ବା ତେଜସକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି ମାଲେସିଆର ବାୟୁସେନା । ଏହି ବିମାନର ଦକ୍ଷତା ପରଖିବାକୁ ମାଲେସିଆ ବାୟୁସେନାର ଏକ ବିଶେଷଜ୍ଞ ଦଳ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁସାରେ ମାଲେସିଆ ବାୟୁସେନାର ବିଶେଷଜ୍ଞ ଦଳ ଆସନ୍ତା ଦୁଇ ମାସ ମଧ୍ୟରେ ବାଙ୍ଗାଲୁରୁସ୍ଥିତ ହାଲ୍ ମୁଖ୍ୟାଳୟରେ ପହଞ୍ଚି ତେଜସର ପର୍ଯ୍ୟବେକ୍ଷଣ କରିବେ । ଏହି ଅବସରରେ ହାଲ ପକ୍ଷରୁ ଏହି ବିମାନର ଟେକନଲୋଜୀ, ଉତ୍ପାଦନ ଓ ଲଢୁଆ ଦକ୍ଷତା ସମ୍ପର୍କରେ ସବିଶେଷ ପ୍ରଦର୍ଶନ କରାଯିବ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ୨୦୨୬ ସୁଦ୍ଧା ଭାରତୀୟ ବାୟୁସେନାକୁ ୬୦ଟି ତେଜସ ଯୋଗାଣ ପାଇଁ ହାଲ ଚୁକ୍ତି କରିଛି ।

ୟୁରୋପୀୟ ଲଢୁଆ ବିମାନଗୁଡ଼ିକ ତୁଳନାରେ ଭାରତର ତେଜସ ଅପେକ୍ଷାକୃତ ଶସ୍ତା ହୋଇଥିବାବେଳେ ଏହାର ଦକ୍ଷତା ମଧ୍ୟ ଆଶାନୁରୂପ ରହିଛି । ଏଣୁ ଏହା ମାଲେସିଆ ବାୟୁସେନାର ଦୃଷ୍ଟି ଆକର୍ଷଣ କରିଛି ।

ସମ୍ବନ୍ଧିତ ଖବର