ଜାକିର ନାଏକ ବିରୋଧରେ ତଦନ୍ତ ଆରମ୍ଭ କଲା ମାଲେସିଆ ପୁଲିସ, ଅଭିଯୋଗ ପ୍ରମାଣିତ ହେଲେ ସେଠାରୁ ତଡା ଖାଇବ

କ୍ୱାଲାଲୁମ୍ପୁର : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକର ସ୍ଥାୟୀ ବାସିନ୍ଦା ମାନ୍ୟତା ରଦ୍ଦ କରିପାରେ ମାଲେସିଆ । ହିନ୍ଦୁ ଓ ଚୀନ ଲୋକମାନଙ୍କ ବିରୋଧରେ ବିଭେଦ ସୃଷ୍ଟିକାରୀ ଜାତିଆଣ ବକ୍ତବ୍ୟ ଦେଇଥିବାରୁ ତା ବିରୋଧରେ ମାଲେସିଆରେ ବ୍ୟାପକ ଜନମତ ପ୍ରକାଶ ପାଇଛି । ଏହାପରେ ମାଲେସିଆ ପୁଲିସ ପକ୍ଷରୁ ତାକୁ ଜେରା କରାଯିବା ଆରମ୍ଭ କରାଯାଇଛି । ଗତ ଶୁକ୍ରବାର ଦିନ ତାକୁ ମାଲେସିଆ ପୁଲିସ ମୁଖ୍ୟାଳୟ ବୁକିଟ୍ ଅମନକୁ ନେଇ ପ୍ରାୟ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ଆସନ୍ତା ସୋମବାରଦିନ ପୁଣି ଥରେ ତାକୁ ପୁଲିସ ଜେରା କରିବ । ଦେଶରେ ଶାନ୍ତି ଓ ସଦଭାବ ଭଙ୍ଗ କରୁଥିବା ଅଭିଯୋଗରେ ତା’ବିରୋଧରେ ମାଲେସିଆ ଅପରାଧ ଆଇନର ଧାରା ୫୦୫(ଗ) ଲଗାଯାଇଛି । ତଦନ୍ତରେ ତା ବିରୋଧରେ ଲଗାଯାଇଥିବା ଅଭିଯୋଗ ସତ ପ୍ରମାଣିତ ହେଲେ ତାକୁ ଦଣ୍ଡିତ କରାଯିବା ସହ ତାହାର ସ୍ଥାୟୀ ବାସିନ୍ଦା ମାନ୍ୟତା ମଧ୍ୟ ରଦ୍ଦ ହୋଇପାରେ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା ।

ସମ୍ବନ୍ଧିତ ଖବର