ଚୀନର ଜେଏଫ-୧୭ ବଦଳରେ ଭାରତର ତେଜସ୍ ଲଢୁଆ ବିମାନ କିଣିବ ମାଲେସିଆ

ନୂଆଦିଲ୍ଲୀ : ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଭାରତ ବିଶ୍ବରେ ଏକ ଅଗ୍ରଣୀ ଦେଶରେ ପରିଣତ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ଭାରତ ନିର୍ମିତ ଲଢୁଆ ବିମାନ ତେଜସକୁ ଖରିଦ କରିବାକୁ ମାଲେସିଆ ନିଷ୍ପତ୍ତି ନେଇଛି । ଏପରିକି ଚୀନର ଲଢୁଆ ବିମାନ ଜେଏଫ-୧୭, ଦକ୍ଷିଣ କୋରିଆର ଏଫଏ-୫୦ ଓ ରୁଷର ମିଗ୍-୩୫କୁ ପଛରେ ପକାଇଦେଇଛି ତେଜସ୍ । ଏ ସଂପର୍କରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃର ପରିଚାଳନା ନିର୍ଦ୍ଦେଶକ ଆର. ମାଧବନ ସୂଚନା ଦେଇଛନ୍ତି ।

ମାଲେସିଆ ନିଜର ସୋଭିଏତ ଯୁଗର ପୁରୁଣା ଲଢୁଆ ବିମାନ ମିଗ-୨୯କୁ ବଦଳାଇ ନୂଆ ଅତ୍ୟାଧୁନିକ ଲଢୁଆ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସେମାନେ ଉପରୋକ୍ତ ଲଢୁଆ ବିମାନଗୁଡ଼ିକୁ ବିଚାରକୁ ନେବା ପରେ ଭାରତର ତେଜସକୁ କିଣିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଚୀନର ଜେଏଫ-୧୭ ଭାରତର ତେଜସ ତୁଳନାରେ ଶସ୍ତା ହୋଇଥିଲେ ବି ବୈଷୟିକ ଦକ୍ଷତା ଦୃଷ୍ଟିରୁ ତେଜସକୁ ବାଛିଛି ମାଲେସିଆ । ମାଲେସିଆର ଏକ ବୈଷୟିକ ଦଳ ଖୁବ ଶୀଘ୍ର ଭାରତ ଆସିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ମାଲେସିଆ ବ୍ୟବହାର କରୁଥିବା ସୁଖୋଇ-୩୦ ଲଢୁଆ ବିମାନର ସର୍ଭିସିଂ ପାଇଁ ଭାରତ ରାଜି ହୋଇଛି । ଯୁଦ୍ଧ କାରଣରୁ ରୁଷଠାରୁ ଏହି ବିମାନର ଯନ୍ତ୍ରାଂଶ ମିଳିବାରେ ସମସ୍ୟା ହେଉଛି । ତେବେ ଭାରତ ମାଲେସିଆକୁ ସୁଖୋଇ-୩୦ର ଯନ୍ତ୍ରାଂଶ ଯୋଗାଇବାକୁ ରାଜି ହୋଇଛି ।

ସମ୍ବନ୍ଧିତ ଖବର