ଜାକିର ନାଏକକୁ ଭାରତ ଅଣାଯିବା ସମ୍ଭାବନା ବଢିଲା

ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମିକ୍‌ ଶିକ୍ଷକ ଜାକିର ନାଏକକୁ ଭାରତକୁ ଅଣାଯିବାର ସମ୍ଭାବନା ରହିଛି । ଜାକିରର ପ୍ରତ୍ୟାର୍ପଣ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମାଲେସିଆ ସରକାରଙ୍କ ନିକଟରେ ଆବେଦନ କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏ ସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଏହି ଆବେଦନ କରାଯାଇଛି ।

କିଛିଦିନ ତଳେ ମାଲେସିଆର ଏକ କୋର୍ଟ କହିଥିଲେ ଯେ ଭାରତ ସରକାର ଜାକିର ନାଏକ ପ୍ରତ୍ୟାର୍ପଣ ମାମଲାରେ ଆବେଦନ କଲେ ତାହାର ଶୁଣାଣୀ କରାଯିବ । ମାଲେସିଆ ସରକାର ମଧ୍ୟ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ଥିବା ପୂର୍ବରୁ ସଂକେତ ଦେଇଥିଲେ । ଗତ ନଭେମ୍ବର ମାସରେ ମାଲେସିଆର ଉପ-ପ୍ରଧାନମନ୍ତ୍ରୀ ମହମ୍ମଦ ଜାହିଦ କହିଥିଲେ ଯେ ଭାରତ-ମାଲେସିଆ ମଧ୍ୟରେ ସ୍ୱାକ୍ଷରିତ ପାରସ୍ପରିକ ଆଇନ ସହାୟତା ଚୁକ୍ତି ଅଧିନରେ ଭାରତ ସରକାର ଏକ ଅନୁରୋଧ ପଠେଇଲେ ପ୍ରତ୍ୟାର୍ପଣ କରାଯିବାରେ କିଛି ଅସୁବିଧା ନାହିଁ ।

ଗତ ବର୍ଷ ଅକ୍ଟୋବର ମାସରେ ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟ୍‌ରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର