ସମସ୍ୟାରେ ମାଲେସିଆ, ଭାରତ ଆମଦାନି କମାଇବା ପରେ କରୋନାଭାଇରସ ଯୋଗୁଁ ଚୀନକୁ ବିକ୍ରି ହ୍ରାସ

ନୂଆଦିଲ୍ଲୀ : ଭାରତ ବିରୋଧୀ ମନ୍ତବ୍ୟ ଦେବା ପରେ ବୋଧହୁଏ ମାଲେସିଆ ଉପରେ ଶନିଦଶା ପଡ଼ିଯାଇଛି । ପାମ ଅଏଲ ଆମଦାନୀ ଉପରେ ଭାରତ କଟକଣା ଲଗାଇବା ପରେ ମାଲେସିଆ ଭାବିଥିଲା ଯେ ଚୀନକୁ ରପ୍ତାନି ବୃଦ୍ଧି କରି କ୍ଷତି ଭରଣା କରିବ । କିନ୍ତୁ ଚୀନରେ କରୋନାଭାଇରସ ବ୍ୟାପିବା ପରେ ରପ୍ତାନି ଅନେକ ପରିମାଣରେ ହ୍ରାସ ପାଇଛି ଓ ଏଥିପାଇଁ ମାଲେସିଆରେ ପାମ ଅଏଲ ଦର ହ୍ରାସ ପାଇଚାଲିଛି । ଏହା ଫଳରେ ମାଲେସିଆର ପାମ ଅଏଲ ଶିଳ୍ପ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛି ।

ଗତ ଫେବ୍ରୁଆରି ୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ ଅଶୋଧିତ ପାମ ଅଏଲ ଉପରେ ଭାରତ ସରକାର ୪୦ ପ୍ରତିଶତ ଆମଦାନି ଟିକସ ଲଗାଇଛନ୍ତି ।

ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଥିବାରୁ ଭାରତ ମାଲେସିଆରୁ ପାମ ଅଏଲ କିଣିବା ବନ୍ଦ କରିଦେଇଛି । ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି ।  ପୂର୍ବେ ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ଥିଲା । କିନ୍ତୁ ଭାରତ ଆମଦାନି କମାଇଥିବାରୁ ମାଲେସିଆର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେଉଛି ।

ସମ୍ବନ୍ଧିତ ଖବର