ଚୀନ ଋଣ ଯନ୍ତାରେ ମାଳଦ୍ୱୀପ, ମୋଦିଙ୍କ ସହାୟତା ଲୋଡିଲା

ନୂଆଦିଲ୍ଲୀ : ଭାରତ ମହାସାଗରରେ ଥିବା ଦ୍ୱୀପ ଦେଶ ମାଳଦ୍ୱୀପରେ ନିକଟ ଅତୀତରେ କ୍ଷମତା ପରିବର୍ତ୍ତନ ହୋଇଛି । ଏହି କ୍ଷୁଦ୍ର ଦେଶ ପୂର୍ବ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଅବଦୁଲ୍ଲା ୟମିନଙ୍କ କବଳରୁ ମୁକ୍ତ ହୋଇ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନୂଆ ରାଷ୍ଟ୍ରପତି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶାସନାଧୀନ ହୋଇଛି । କିନ୍ତୁ ପୂର୍ବ ରାଷ୍ଟ୍ରପତିଙ୍କ ଅମଳରେ ଚୀନ ସଂପୂର୍ଣ୍ଣ ଭାବେ ଏହି ଦେଶ ଉପରେ ପ୍ରଭାବ ବିସ୍ତାର କରିଥିଲା । ଏହା ଫଳରେ ଏହି ଦେଶ ଏବେ ଚୀନର ଋଣ ଯନ୍ତାରେ ପଡି ଛଟପଟ ହେଉଛି । ନୂଆ ସରକାର ଆସିବା ପରେ ଏବେ ଏହି ସଂକଟରୁ ମୁକ୍ତ ହେବା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡିଛନ୍ତି । ମାଳଦ୍ୱୀପ ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସହିଦ କହିଛନ୍ତି ଯେ ଏବେ ନୂଆ ସରକାର ଚୀନ ସହା ହୋଇଥିବା ବିଭିନ୍ନ ସଂଦେହଜନକ ଚୁକ୍ତି ଓ ତାଦ୍ୱାରା ଦେଶର କେତେ କ୍ଷତି ହୋଇଛି ତାହାର ଆକଳନ କରୁଛନ୍ତି । ଏସବୁ ଋଣ କବଳରୁ ଉଦ୍ଧାର ପାଇଁ ତାଙ୍କ ଦେଶ ଭାରତର ସହାୟତା ଲୋଡିବ ।

ସୂଚନାଯୋଗ୍ୟ ଯେ ମାଳଦ୍ୱୀପରେ ସରକାର ବଦଳିବା ପରେ ଭାରତ ସେଠାରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ଗତ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଅମଳରେ ଦୁଇଦେଶ ମଧ୍ୟରେ ସଂପର୍କ ତୀକ୍ତ ହୋଇଥିଲା । ଏପରିକି ଭାରତ ମାଳଦ୍ୱୀପକୁ ଦେଇଥିବା ଦୁଇଟି ଧ୍ରୁବ ହେଲିକାପ୍ଟର ଫେରାଇ ନେବାକୁ ଗତ ଏପ୍ରିଲମାସରେ ମାଳଦ୍ୱୀପ ସରକାର କହିଥିଲେ । କିନ୍ତୁ ଏବେ ଉଭୟ ଦେଶ ମଧ୍ୟ କୂଟନୈତିକ ସ୍ତରରେ କଥାବାର୍ତ୍ତାପରେ ଏହି ଦୁଇଟି ହେଲିକାପ୍ଟରକୁ ରଖିବା ପାଇଁ ମାଳଦ୍ୱୀପ ରାଜି ହୋଇଛି । ଚଳିତ ମାସ ଆରମ୍ଭରେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର