ଭାରତ ସହ ପରୋକ୍ଷ ଶତ୍ରୁତାକୁ ଓହ୍ଲାଇଲା ଇସ୍ଲାମିକ ରାଷ୍ଟ୍ର ମାଳଦ୍ୱୀପ : ଶକ୍ତି ପ୍ରକଳ୍ପ ଲାଗି ପାକିସ୍ତାନ ସହ ଚୁକ୍ତି କଲା

ନୂଆଦିଲ୍ଲୀ : ପୁଣି ଭାରତକୁ ଚିଡ଼ାଇଲା କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ । ମାଳଦ୍ୱୀପ ଏବେ ଭାରତ ସହ ସଂପର୍କ ତୁଟାଇ ଚାଲିଥିବାବେଳେ ଭାରତର ଶତ୍ରୁ ପାକିସ୍ତାନ ସହ ସଂପର୍କ ବଢାଇଚାଲିଛି । ନିକଟରେ ଭାରତର ହେଲିକାପ୍ଟର ଫେରାଇଦେବା, ଭାରତୀୟଙ୍କୁ ଓ୍ଵାର୍କ ପରମିଟ ବନ୍ଦ କରିବା ପରେ ଏହି ଦେଶ ଏବେ ପାକିସ୍ତାନ ସହ ଏକ ଚୁକ୍ତି କରିଛି । ଶକ୍ତି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଏହି ଦେଶ ପାକିସ୍ତାନକୁ ଆମନ୍ତ୍ରିତ କରିଛି । ଏହା ପୂର୍ବରୁ ଏହି ଦେଶରେ ଅନେକ ବଡ଼ ବଡ଼ ପ୍ରକଳ୍ପ ଚୀନ କମ୍ପାନିମାନଙ୍କୁ ଦିଆଯାଇଥିଲା । ମୁଖ୍ୟତଃ ଚୀନ ଓ ପାକିସ୍ତାନ ପ୍ରରୋଚନାରେ ପଡ଼ି ଏହି ଇସ୍ଲାମିକ ଦେଶ ମାଳଦ୍ୱୀପ ଭାରତ ପ୍ରତି ଶତ୍ରୁତା ଆଚରଣ କରୁଛି ।

ଗତ ମାସରେ ମାଳଦ୍ୱୀପରେ ଥିବା ଭାରତର ଦୁଇଟି ସାମରିକ ହେଲିକାପ୍ଟରକୁ ଫେରାଇ ନେବା ପାଇଁ ମାଳଦ୍ୱୀପ କହିବା ପରେ ଭାରତ ସରକାର ଏଗୁଡ଼ିକୁ ଖୁବ ଶୀଘ୍ର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମାଳଦ୍ୱୀପର ଦକ୍ଷିଣରେ ଥିବା ଆଦୁ ଦ୍ୱୀପର ଗେନ ଏୟାରଫିଲ୍ଡରେ ଓ ଉତ୍ତରରେ ଥିବା ଲାମୁଠାରେ ଥିବା ଏୟାରଫିଲ୍ଡରେ ଭାରତର ଏହି ଦୁଇଟି ହେଲିକାପ୍ଟର ରହିଛି । ଏଗୁଡ଼ିକ ସହ ୧୨ ଜଣ ପାଇଲଟ ସହ ୨୫ ଜଣ ନୌସେନା ଓ କୋଷ୍ଟଗାର୍ଡର କର୍ମଚାରୀ ଅଛନ୍ତି ।

ଗତ ମାସରେ ଜାତିସଂଘର ଏକ ଅସ୍ଥାୟୀ ସଦସ୍ୟ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ ବିପକ୍ଷରେ ଓ ଇଣ୍ଡୋନେସିଆ ସପକ୍ଷରେ ଭୋଟ ଦେଇଥିଲା । ଏହି ଭୋଟରେ ମାଳଦଦ୍ୱୀପ ଶୋଚନୀୟ ଭାବେ ୧୪୪-୪୬ ଭୋଟ ବ୍ୟବଧାନରେ ହାରିଥିଲା ।

ସମ୍ବନ୍ଧିତ ଖବର