ମାଳଦ୍ୱୀପ ସଙ୍କଟ ଜଟିଳ: ଭାରତର ସହାୟତା ଲୋଡ଼ିଲେ ପୂର୍ବ ରାଷ୍ଟ୍ରପତି

କଲମ୍ବୋ: ଗତକାଲି ମାଳଦ୍ୱୀପରେ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍‌ ୧୫ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦୁଲ୍ଳା ସଇଦ୍‌ଙ୍କ ସମେତ ଦୁଇ ଜଣ ବରିଷ୍ଠ ବିଚାରପତିଙ୍କୁ ଗିରଫ କରାଯାଇଛି। ଦେଶରେ ଦେଖାଦେଇଥିବା ଅସ୍ଥିରତା ଓ ସଙ୍କଟ ସମୟରେ ପ୍ରତିନିଧି ଓ ସେନା ପଠାଇ ସହାୟତା କରିବାକୁ ପୂର୍ବତନ ତଥା ନିର୍ବାସିତ ରାଷ୍ଟ୍ରପତି ମହମ୍ମଦ ନସିଦ୍‌ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ଦ୍ୱରା ଗିରାଫ ହୋଇଥିବା ରାଜନେତା ଓ ବିଚାରପତିଙ୍କ ସମେତ ପୂର୍ବତନ ରାଷ୍ଟ୍ରପତିଙ୍କୁ କିଭଳି ମୁକ୍ତ କରି ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ଦିଗରେ ସହାୟତା କରିବାକୁ ସେ କହିଛନ୍ତି। ଦେଶର ଅନ୍ୟତମ ପୂର୍ବତନ ରାଷ୍ଟ୍ରପତି ମୌମୁନ୍‌ ଅବଦୁଲ୍‌ ଗାୟୋମ୍‌ଙ୍କୁ ମଧ୍ୟ ତାଙ୍କ ବାସଭବନରେ ଗୃହବନ୍ଦୀ କରି ରଖାଯାଇଥିବା ଜଣାପଡ଼ିଛି। ଅପରପକ୍ଷେ, ରାଷ୍ଟ୍ରପତି ୟାମିନ୍‌ଙ୍କ ଶାସନରେ ଘୋର ଅରାଜକତା ଥିବାରୁ ତାଙ୍କୁ ଗାଦିଚ୍ୟୁତ କରିବାକୁ ଦେଶର ଜନତା ଇଚ୍ଛା କରୁଥିବା ପୂର୍ବତନ ରାଷ୍ଟ୍ରପତି ନସିଦ୍‌ କହିଛନ୍ତି।

ସମ୍ବନ୍ଧିତ ଖବର