ମାଳଦ୍ୱୀପ ନିର୍ବାଚନରେ ୟାମିନ୍‌ ହାରିଲେ

ଚୀନ୍‌କୁ ଶକ୍ତ ଝଟ୍‌କା:ଭାରତ ଜଣାଇଲା ଶୁଭେଚ୍ଛା

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଇବ୍ରାହିମ୍‌ ମହମ୍ମଦ ସୋଲିହ ବିଜୟୀ ହୋଇଛନ୍ତି। ରାଷ୍ଟ୍ରପତି ଅବ୍‌ଦୁଲ୍ଲା ୟାମିନ୍‌ ପରାଜୟ ବରଣ କରିଛନ୍ତି। ଅପରପକ୍ଷରେ ୟାମିନ୍‌ ପରାଜିତ ହେବା ପରେ ଚୀନ୍‌କୁ ଶକ୍ତ ଝଟ୍‌କା ଲାଗିଛି। କାରଣ ୟାମିନ୍‌ ପ୍ରଶାସନ ଅଧୀନରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଚୀନ୍‌ କୋଟି କୋଟି ଡଲାର ପୁଞ୍ଜି ନିବେଶ କରିଥିଲା।
ନିର୍ବାଚନ ଫଳାଫଳ ବାବଦରେ ରାଷ୍ଟ୍ରପତି ୟାମିନ୍‌ କହିଛନ୍ତି, ମୁଁ ମୋ ପରାଜୟ ସ୍ୱୀକାର କରୁଛି। ମାଳଦ୍ୱୀପବାସୀ ଯାହା ଚାହୁଥିଲେ, ସେହି ଅନୁସାରେ ନିଷ୍ପତ୍ତି ନେଇଛନ୍ତି। ଏବେ ମୁଁ ପଦ ହସ୍ତାନ୍ତର କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବି। ତେବେ ଫଳାଫଳ ପ୍ରକାଶ ପାଇବା ପରେ ମୁଁ ଇବ୍ରାହିମ୍‌ଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଛି ବୋଲି ୟାମିନ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ଫଳାଫଳକୁ ୟାମିନ୍‌ ଗ୍ରହଣ କରିନପାରନ୍ତି ବୋଲି ଅନେକ ଲୋକ ଆଶଙ୍କା ପ୍ରକାଶ କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇପାରେ ବୋଲି ମଧ୍ୟ କିଛି ଲୋକ କହିଥିଲେ। କିନ୍ତୁ ୟାମିନ୍‌ ତାଙ୍କ ପରାଜୟ ସ୍ୱୀକାର କରିଥିବା ସୂଚନା ଦେବା ପରେ ଦେଶକୁ ଏକ ସ୍ଥିର ସରକାର ମିଳିବାର ବାଟ ଫିଟିଛି। ଆଜି ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଇବ୍ରାହିମ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏଥିସହ ଇବ୍ରାହିମ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଘୋଷଣା କରିବା ଲାଗି ନିର୍ବାଚନ ଆୟୋଗ ପଦକ୍ଷେପ ନେବେ ବୋଲି ଭାରତ ଆଶା ପ୍ରକାଶ କରିଛି। ନିର୍ବାଚନ ଫଳାଫଳ ଅନୁସାରେ ୟାମିନ୍‌ଙ୍କୁ ୪୧.୭ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଇବ୍ରାହିମ୍‌ଙ୍କୁ ୫୮.୩ ପ୍ରତିଶତ ମିଳିଛି। ଇବ୍ରାହିମ୍‌ ଜିତିବା ପରେ ତାଙ୍କ ଦଳ ମାଲ୍‌ଡିଭିଆନ୍‌ ଡେମୋକ୍ରାଟିକ୍‌ ପାର୍ଟି (ଏମ୍‌ଡିପି)ର କର୍ମୀମାନେ ଦେଶବ୍ୟାପୀ ଉତ୍ସବ ପାଳନ କରୁଛନ୍ତି। ନିର୍ବାଚନ ପୂର୍ବରୁ ଆମେରିକା ପକ୍ଷରୁ ରାଷ୍ଟ୍ରପତି ୟାମିନ୍‌ଙ୍କୁ ସତର୍କ କରାଯାଇଥିଲା। ଲୋକଙ୍କ ମତଦାନକୁ ଠିକ୍‌ ଢଙ୍ଗରେ ଗ୍ରହଣ କରିବା ସହିତ ଏହାକୁ ସମ୍ମାନ ଜଣାଇବା ଲାଗି ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର