ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିର୍ଦ୍ଦେଶକ୍ରମେ ୭୬ ଜଣ ଭାରତୀୟ ସାମରିକ କର୍ମଚାରୀ ମାଳଦ୍ୱୀପ ଛାଡ଼ିବାର କିଛିଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଘସାନ ମୌମୁନ ସ୍ୱୀକାର କରିଛନ୍ତି ଯେ ମାଳଦ୍ୱୀପ ସେନା ପାଖରେ ଏବେ ବି ଭାରତ ଦ୍ୱାରା ଦାନ କରାଯାଇଥିବା ତିନିଟି ବିମାନ ଚଳାଇବା ପାଇଁ ଦକ୍ଷ ପାଇଲଟ୍ ନାହାନ୍ତି। ମାଳଦ୍ୱୀପରେ ଦୁଇଟି ହେଲିକପ୍ଟର ଓ ଗୋଟିଏ ଡୋନିୟର ବିମାନ ଚଳାଚଳ ପାଇଁ ମୁତୟନ ହୋଇଥିବା ଭାରତୀୟ ସୈନିକଙ୍କ ପ୍ରତ୍ୟାହାର ଏବଂ ଭାରତରୁ ଆସିଥିବା ସାଧାରଣ ନାଗରିକଙ୍କୁ ସେମାନଙ୍କ ସ୍ଥାନରେ ଅବସ୍ଥାପିତ କରାଯିବା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇବା ପାଇଁ ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୌମୁନ ଏହି ମନ୍ତବ୍ୟ ଦେଇଛନ୍ତି। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୌମୁନ କହିଛନ୍ତି ଯେ, ମାଳଦ୍ୱୀପ ନ୍ୟାସନାଲ ଡିଫେନ୍ସ ଫୋର୍ସ(ଏମ୍ଏନ୍ଡିଏଫ୍)ରେ କୌଣସି ସୈନିକ ନାହାନ୍ତି ଯେଉଁମାନେ ଭାରତ ଦ୍ବାରା ପ୍ରଦତ୍ତ ତିନିଟି ବିମାନ ଉଡ଼ାଇପାରିବେ। ପୂର୍ବ ସରକାରମାନଙ୍କ ଦ୍ୱାରା ହୋଇଥିବା ଚୁକ୍ତି ଅନୁଯାୟୀ ମାଳଦ୍ବୀପର କିଛି ସୈନିକ ଏହାକୁ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେଇଥିଲେ ମଧ୍ୟ ସେମାନେ ଏହା ଉଡ଼ାଇପାରୁ ନାହାନ୍ତି। ଏହି ପ୍ରଶିକ୍ଷଣରେ ବିଭିନ୍ନ ପର୍ଯ୍ୟାୟ ଅତିକ୍ରମ କରିବାର ଆବଶ୍ୟକତା ଥିଲା। ଆମ ସୈନିକମାନେ ବିଭିନ୍ନ କାରଣରୁ ସେହିସବୁ ପର୍ଯ୍ୟାୟ ଅତିକ୍ରମ କରି ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ହୋଇପାରି ନ ଥିଲେ। ତେଣୁ ବର୍ତ୍ତମାନ ଆମ ବାହିନୀରେ କୌଣସି ଲୋକ ନାହାନ୍ତି ଯେଉଁମାନେ ଦୁଇଟି ହେଲିକପ୍ଟର ଓ ଗୋଟିଏ ଡୋନିୟର ବିମାନ ଉଡ଼ାଇବା ପାଇଁ ଲାଇସେନ୍ସପ୍ରାପ୍ତ କିମ୍ବା ସମ୍ପୂର୍ଣ୍ଣ ଦକ୍ଷ ବୋଲି ମୌମୁନ ଏକ ନ୍ୟୁଜ୍ ପୋର୍ଟାଲକୁ କହିଛନ୍ତି।
ଚୀନ୍ ସମର୍ଥକ ନେତା ମୁଇଜୁ ମେ ୧୦ ତାରିଖ ସୁଦ୍ଧା ଏହି ଦ୍ୱୀପ ଦେଶରେ ତିନିଟି ବିମାନ ଚଳାଚଳ ପ୍ଲାଟଫର୍ମ ପରିଚାଳନା କରୁଥିବା ସମସ୍ତ ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିବାକୁ ଜିଦ୍ ଧରିଥିଲେ। ଭାରତ ୭୬ ଜଣ ସୈନ୍ୟଙ୍କୁ ପ୍ରତ୍ୟାହାର କରିସାରିଛି। ତେବେ ମାଳଦ୍ୱୀପ ସରକାର ସେନାହିଆ ସାମରିକ ଡାକ୍ତରଖାନାରେ ନିଯୁକ୍ତ ଭାରତୀୟ ଡାକ୍ତରମାନଙ୍କୁ ହଟାଇବାକୁ ଇଚ୍ଛା କରୁନାହାନ୍ତି ବୋଲି ମାଳଦ୍ୱୀପର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିରୋଧୀ ଦଳରେ ଥିବା ବେଳେ ସେମାନଙ୍କ ମନ୍ତବ୍ୟ ଘସାନ ମୌମୁନଙ୍କ ମନ୍ତବ୍ୟର ବିପରୀତ ଥିଲା। ସେମାନେ ପୂର୍ବ ସରକାରଙ୍କୁ ସମାଲୋଚନା କରିବା ସହ ଦାବି କରିଥିଲେ ଯେ ଏମ୍ଏନ୍ଡିଏଫ୍ରେ ଦକ୍ଷ ପାଇଲଟ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଓ ଅବଦୁଲ୍ଲା ୟାମିନଙ୍କ ସରକାର ସମୟରେ ଭାରତ ପକ୍ଷରୁ ଦାନ କରାଯାଇଥିବା ହେଲିକପ୍ଟର ଏବଂ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ସରକାର ସମୟରେ ଅଣାଯାଇଥିବା ଡୋନିୟର ବିମାନ ସହିତ ଭାରତୀୟ ସୈନିକଙ୍କ ଆଗମନର ମୁଖ୍ୟ କାରଣ ଥିଲା ମାଳଦ୍ୱୀପବାସୀଙ୍କୁ ପ୍ରଶିକ୍ଷଣ ଦେବା। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିଲେ ମଧ୍ୟ ଭାରତୀୟ ସୈନିକଙ୍କ ସ୍ଥାନରେ ସାଧାରଣ ନାଗରିକଙ୍କୁ ନିଯୁକ୍ତି ଦେବା ପାଇଁ ହୋଇଥିବା ଚୁକ୍ତିରେ ସ୍ଥାନୀୟ ପାଇଲଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶନିବାର ବୈଦେଶିକ ମନ୍ତ୍ରୀ ଜମିର କହିଛନ୍ତି।