ନୂଆଦିଲ୍ଲୀ: ମାଳଦ୍ଵୀପ ଭାରତ ସହିତ ହାଇଡ୍ରୋଗ୍ରାଫିକ୍ ସର୍ଭେ ଚୁକ୍ତିନାମାକୁ ବାତିଲ କରିଦେଇଛି। ଚୀନ୍ କ୍ରମାଗତ ଭାବରେ ମାଳଦ୍ଵୀପ ଉପରେ ଚାପ ପ୍ରୟୋଗ କରୁଛି | କାରଣ ରଣନୈତିକ ଏବଂ ସାମରିକ ଦୃଷ୍ଟିକୋଣରୁ ଏହି ଦେଶ ଉଭୟ ଭାରତ ଏବଂ ଚୀନ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ହାଇଡ୍ରୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଅନୁସନ୍ଧାନ ପାଇଁ ଦୁଇ ଦେଶ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା | ତେବେ ଚୀନ୍ର ସମର୍ଥକ ତଥା କ୍ରମାଗତ ଭାବେ ଭାରତ ବିରୋଧରେ ନିଷ୍ପତ୍ତି ନେଉଥିବା ମହମ୍ମଦ ମୋଇଜୁ ସରକାର ଏହାକୁ ଏକପାଖିଆ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏହି ଚୁକ୍ତିନାମା ବାତିଲ କରିବାକୁ ବେଜିଂ ପକ୍ଷରୁ ଚାପ ରହିଛି ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ଚୀନ୍ କ୍ରମାଗତ ଭାବରେ ମାଳଦ୍ୱୀପରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରୁଛି ଏବଂ ଋଣ ଓ ପୁଞ୍ଜି ବିନିଯୋଗ ମାଧ୍ୟମରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ମାଲଦ୍ୱୀପର ନୂତନ ରାଷ୍ଟ୍ରପତି ମୋଇଜୁ ପୂର୍ବରୁ ଭାରତ ବିରୋଧରେ କିଛି ନିଷ୍ପତ୍ତି ନେଇଛନ୍ତି, ଯାହା ଭାରତ ପ୍ରତି ତାଙ୍କର ଅବିଶ୍ୱାସକୁ ଦର୍ଶାଉଛି।
ମୋଇଜୁ ମାଳଦ୍ୱୀପରେ ଥିବା ସେନା ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ କହିଥିଲେ। ଏହା ପରେ, ବର୍ତ୍ତମାନ ସେ ଭାରତ ସରକାରଙ୍କ ସହିତ ଚାଲିଥିବା ହାଇଡ୍ରୋଗ୍ରାଫିକ୍ ସର୍ଭେରେ ଅଗ୍ରଗତି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ସର୍ଭେ କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଏଥିରେ ଅନ୍ୟ କୌଣସି ଦେଶ ଭାଗ ନେବେ ନାହିଁ ଏବଂ ଶତପ୍ରତିଶତ ସର୍ବେକ୍ଷଣ କାର୍ଯ୍ୟ କେବଳ ମାଳଦ୍ୱୀପ ସରକାରଙ୍କ ନେତୃତ୍ୱରେ ହେବ। ଜୁନ୍ ୨୦୧୯ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲଦ୍ୱୀପର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସାଲେହଙ୍କ ମଧ୍ୟରେ ହାଇଡ୍ରୋଲୋଜି କ୍ଷେତ୍ରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।