ଭାରତର ଚିନ୍ତା ପ୍ରତି ଭୂକ୍ଷେପ କରୁନାହିଁ ମାଳଦ୍ୱୀପ

ନୂଆଦିଲ୍ଲୀ: ନିଜର ପୁରୁଣା ବନ୍ଧୁରାଷ୍ଟ୍ରମାନଙ୍କ ଉପରୁ ନିୟନ୍ତ୍ରଣ ହରାଉଛି ଭାରତ । ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କ ଦିନେ ଭାରତର ଘନିଷ୍ଠ ବନ୍ଧୁରାଷ୍ଟ୍ର ଥିଲେ । କିନ୍ତୁ ଚୀନର ପ୍ରଭାବ ଯୋଗୁଁ ଏମାନେ ଏବେ ଭାରତ କଥା ମାନୁ ନାହାନ୍ତି । ବିଶେଷକରି ମାଳଦ୍ୱୀପ ଏବେ ଭାରତର ନିୟନ୍ତ୍ରଣରୁ ସଂପୂର୍ଣ୍ଣ ବାହାରି ଯାଇଥିବା ମନେ ହେଉଛି । ଭାରତର ଚିନ୍ତାକୁ ଭୂକ୍ଷେପ ନ କରି ଏହା ଚୀନ ଓ ପାକିସ୍ତାନ କଥାରେ ପରିଚାଳିତ ହେଉଛି । ଭାରତର ବିରୋଧ ସତ୍ତ୍ୱେ ଏହି ଦେଶ ଗତ ମାସରେ ଜରୁରୀପରିସ୍ଥିତି ଲଗାଇଥିଲା । ଆସନ୍ତା ଶନିବାର ଦିନ ପାକିସ୍ତାନ ସେନା ମୁଖ୍ୟ ମାଳଦ୍ୱୀପ ଗ୍ରସ୍ତରେ ଆସୁଥିବାରୁ ଭାରତର ଚିନ୍ତା ବଢିଯାଇଛି ।

ପୂର୍ବରୁ ପାକିସ୍ତାନ ଓ ଚୀନ ସଂପର୍କିତ ପ୍ରସଙ୍ଗରେ ଏହି ଦେଶ ସବୁବେଳେ ଭାରତକୁ ଆଗୁଆ ସୂଚୀତ କରୁଥିଲା । କିନ୍ତୁ ଅବଦୁଲ୍ଲା ୟମିନ ମାଳଦ୍ୱୀପ ରାଷ୍ଟ୍ରପତି ହେବା ପରେ ସେ ଭାରତଠାରୁ ଦୂରେଇ ଯିବା ଭଳି ଲଗୁଛନ୍ତି । ପାକିସ୍ତାର ସେନା ମୁଖ୍ୟ ମାଳଦ୍ୱୀପ ଗ୍ରସ୍ତରେ ଆସୁଥିଲେ ମଧ୍ୟ ମାଳଦ୍ୱୀପ ଭାରତକୁ ଆନୁଷ୍ଠାନିକ ଭାବେ ସୂଚୀତ କରିନାହିଁ । ଏହାକୁ ନେଇ ଭାରତ ବିରକ୍ତି ପ୍ରକାଶ କରିଛି ।

ସୂଚନାଯୋଗ୍ୟ ଯେ ଦୀର୍ଘ ୪୫ ଦିନ ପରେ ଗତକାଲି ମାଳଦ୍ୱୀପରୁ ଧରି ଜରୁରୀ ପରିସ୍ଥିତି ପ୍ରତ୍ୟାହୃତ ହୋଇଛି । ଗତ ଫେବ୍ରୁଆରୀ ୫ ତାରିଖରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ୟମିନ ଏହାକୁ ମାନିବାକୁ ମନା କରି ଜରୁରୀପରିସ୍ଥିତି ଲଗାଇଥିଲେ । ଏହା ସହିତ ବିରୋଧୀ ଦଳ ନେତା ଓ ବିଚାରପତିମାନଙ୍କୁ ଜେଲରେ ପୁରାଇଥିଲେ । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି । ଫେବ୍ରୁଆରୀ ୨୦ରେ ସେ ଜରୁରୀ ପରିସ୍ଥିତିକୁ ମାସ ପାଇଁ ବଢାଇଦେଇଥିଲେ ।

ସମ୍ବନ୍ଧିତ ଖବର