ମାଳଦ୍ୱୀପରେ ଜରୁରୀ ପରିସ୍ଥିତି ଆଉ ୩୦ ଦିନ ବଢିଲା, ଭାରତର ଅସନ୍ତୋଷ

ନୂଆଦିଲ୍ଲୀ: ଭାରତର ତୀବ୍ର ବିରୋଧ ସତ୍ତ୍ୱେ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲା ୟମିନ୍‌ ତାଙ୍କ ଦେଶରେ ଲାଗୁ ଜରୁରୀପରିସ୍ଥିତିକୁ ଆଉ ମାସେ ପାଇଁ ବଢାଇଦେଇଛନ୍ତି । ମାଳଦ୍ୱୀପ ସଂସଦ ବା ମଜଲିସ୍‌ରେ ଆବଶ୍ୟକ ସାଂସଦ ଉପସ୍ଥିତ ନଥିବେ ସତ୍ତ୍ୱେ ଏହି ପ୍ରସ୍ତାବକୁ ବେଆଇନ ଭାବେ ମଂଜୁର କରାଯାଇଥିଲା । କାରଣ ମାଳଦ୍ୱୀପ ସମ୍ବିଧାନ ଅନୁସାରେ ଏହି ପ୍ରସ୍ତାବକୁ ମଂଜୁର କରିବା ପାଇଁ ସଂସଦରେ ଅତିକମରେ ୪୩ ଜଣ ସାଂସଦ ଉପସ୍ଥିତ ରହିବା ଆବଶ୍ୟକ । କିନ୍ତୁ ଗତକାଲି ମାତ୍ର ୩୮ ଜଣ ସାଂସଦ ଥିଲେ ମଧ୍ୟ ଏହାକୁ ପାଶ କରାଯାଇଥିଲା ।

ମାଳଦ୍ୱୀପ ସରକାରଙ୍କ ଏହି ପଦକ୍ଷେପ ବେଶ ନୈରାଶ୍ୟଜନକ ବୋଲି ଭାରତ କହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାଳଦ୍ୱୀପରେ ଜରୁରୀ ପରିସ୍ଥିତିର ସମୟ ଆହୁରି ବଢିବା ବେଶ ନୈରାଶ୍ୟଜନକ ଅଟେ । ପୁଣି ଯେଉଁଭଳିଭାବେ ଏହି ପ୍ରସ୍ତାବକୁ ମଂଜୁରୀ ଦିଆଗଲା ତାହା ମଧ୍ୟ ଚିନ୍ତାଜନକ ଓ (ମାଳଦ୍ୱୀପ) ସମ୍ବିଧାନ ବିରୋଧୀ ।

ଗତକାଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ ମାଳଦ୍ୱୀପରେ ଖୁବ ଶୀଘ୍ର ସ୍ୱାଭାବିକତା ଅଣାଯିବା ସହ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ । ମାଳଦ୍ୱୀପ ଖୁବଶୀଘ୍ର ଗଣତାନ୍ତ୍ରିକ ଓ ଆଇନର ଶାସନ ଆରମ୍ଭ ହେବା ଆବଶ୍ୟକ ।

ସମ୍ବନ୍ଧିତ ଖବର