ନୂଆଦିଲ୍ଲୀ: ଗତ କିଛି ଦଶନ୍ଧିରେ ବିହାର ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ଅଂଶଗ୍ରହଣକୁ ଦେଖିଲେ ଜଣାପଡ଼େ ଯେ ଏହା ସେମାନଙ୍କ ଉପସ୍ଥିତିର ରଣନୀତିକୁ ପ୍ରତିଫଳିତ କରିଥାଏ। ୧୯୬୨ ମସିହାରେ ପ୍ରତ୍ୟେକ ଦଶ ଜଣରେ ମାତ୍ର ତିନି ଜଣ ମହିଳା ଭୋଟର ମତଦାନ ପାଇଁ ଆସୁଥିବା ବେଳେ ୨୦୨୦ ମସିହା ସୁଦ୍ଧା ଏହି ସଂଖ୍ୟା ଛଅକୁ ବୃଦ୍ଧି ପାଇଥିଲା। ନିର୍ବାଚନ କମିସନର ତଥ୍ୟ ଦର୍ଶାଉଛି ଯେ ୧୯୬୨ରୁ ୨୦୦୦ ମସିହା ମଧ୍ୟରେ ମହିଳାମାନଙ୍କର ମତଦାନ ହାର ୩୦%ରୁ ୫୯.୬%କୁ ବୃଦ୍ଧି ପାଇବା ଫଳରେ ମତଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ଦୂର ହୋଇଛି। ଗତ ବିଧାନସଭା ନିର୍ବାଚନରେ ମୋଟ ୨୪୩ଟି ଆସନ ମଧ୍ୟରୁ ୧୬୯ଟି ଆସନରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଥିଲେ।
ରେକର୍ଡ ସୂଚାଇ ଦେଉଛି ଯେ ଯେତେବେଳେ ପୁରୁଷମାନଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦିଅନ୍ତି, ତାହା ଏନ୍ଡିଏକୁ ଲାଭବାନ କରିଥାଏ। ୨୦୧୦ ମସିହାରୁ ଏହି ପରିବର୍ତ୍ତନ ଆରମ୍ଭ ହୋଇଥିଲା ଯେତେବେଳେ ପ୍ରଥମ ଥର ପାଇଁ ମହିଳାମାନଙ୍କ ମତଦାନ ହାର ୫୪% ଅତିକ୍ରମ କରିଥିଲା। ଅନ୍ୟ ପକ୍ଷରେ ପୁରୁଷ ମତାଦାତାଙ୍କ ମତଦାନ ହାର ୫୧% ରହିଥିଲା। ଏହି ସଫଳତା ପଛରେ ଜନ ସଚେତନତାର ପ୍ରମୁଖ ଭୂମିକା ରହିଥିବାବେଳେ ଅବଶିଷ୍ଟ କାର୍ଯ୍ୟ ନୀତିଗତ ପରିବର୍ତ୍ତନ ଫଳରେ ସମ୍ଭବ ହୋଇଥିଲା।
୨୦୦୬ ମସିହାରେ, ନୀତୀଶ କୁମାର ପଞ୍ଚାୟତ ସ୍ତରରେ ମହିଳାମାନଙ୍କ ପାଇଁ ଅଧା ଆସନ ସଂରକ୍ଷିତ କରିଥିଲେ। ବିହାରର ଅର୍ଦ୍ଧ-ସାମନ୍ତବାଦୀ କୃଷିଭିତ୍ତିକ ସମାଜରେ, ଗାଁଗୁଡ଼ିକରେ ମହିଳାମାନେ ବୈଠକରେ ଅଧ୍ୟକ୍ଷତା କରିବା କ୍ବଚିତ୍ ଦେଖାଯାଉଥିଲା। ମାତ୍ର ସେହି ବିହାର ୨୦୧୫ ମସିହାରେ ୪,୫୩୫ ଜଣ ମହିଳା ମୁଖିଆଙ୍କୁ ମୁଖିଆ (ଗ୍ରାମ ପଞ୍ଚାୟତ ସଭାପତି) ରୂପେ ନିର୍ବାଚିତ କରିଥିଲା। ୨୦୧୫ ସୁଦ୍ଧା ବିହାରରେ ୧.୩୬ ଲକ୍ଷ ନିର୍ବାଚିତ ଗ୍ରାମ ପ୍ରତିନିଧିଙ୍କ ମଧ୍ୟରୁ ପ୍ରାୟ ୫୪% ମହିଳା ଥିଲେ। ବିହାରର ଶ୍ରମ ଶକ୍ତି ଅଂଶଗ୍ରହଣରେ ୨୦୧୭-୧୮ରେ ମହିଳାମାନଙ୍କ ଅଂଶଗ୍ରହଣ ଥିଲା ମାତ୍ର ୪.୧%। ମାତ୍ର ୨୦୨୩-୨୪ରେ ଏହା ୩୦.୫%ରେ ପହଞ୍ଚିଛି, ଯାହାକି ପ୍ରାୟ ସାତ ଗୁଣରୁ ମଧ୍ୟ ଅଧିକ ଥିଲା।
କିନ୍ତୁ ବିଧାନସଭାର ନିର୍ବାଚନରେ ମହିଳା ପ୍ରତିନିଧିମାନଙ୍କର ଅଂଶ ଗ୍ରହଣ କରିବା ସଂଖ୍ୟା ଭିନ୍ନ ଏକ ଦୁର୍ବଳ ତଥ୍ୟ ପ୍ରଦାନ କରେ। ୨୦୨୦ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ୨୭୧ ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ୨୬ ଜଣ ବିଜୟୀ ହୋଇଥିଲେ। ତେଣୁ ମହିଳା ପ୍ରାର୍ଥୀମାନଙ୍କର ସଫଳତା ହାର ମାତ୍ର ୭%। ଚଳିତ ନିର୍ବାଚନରେ ମହିଳା ଜନପ୍ରତିନିଧିଙ୍କ ସଂପର୍କିତ ପରିସଂଖ୍ୟାନ ନିରୁତ୍ସାହଜନକ। ଚଳିତ ନିର୍ବାଚନରେ ୨,୩୫୭ ପୁରୁଷ ପ୍ରାର୍ଥୀଙ୍କ ବିପକ୍ଷରେ ମାତ୍ର ୨୫୮ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ବିଜେପି ୧୩ ଜଣ ମହିଳାଙ୍କୁ ମଇଦାନରେ ଓହ୍ଲାଇ ଥିବାବେଳେ ଜେଡିୟୁ ୧୩ ଜଣଙ୍କୁ, ଆରଜେଡି ୨୩ ଜଣଙ୍କୁ, ଜନସୁରାଜ ୨୫ ଜଣଙ୍କୁ ଓ କଂଗ୍ରେସ ୫ ଜଣଙ୍କୁ ପ୍ରାର୍ଥୀ କରିଛି। ଏହା ପ୍ରତୀକବାଦ ବୋଲି ମନେ ହେଉଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭% ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ। ସ୍ବାଧୀନୋତ୍ତର ଭାରତରେ ଏହା ଥିଲା ସର୍ବାଧିକ ମତଦାନ। ଏଥିରେ ୭୦.୭୧% ପୁରୁଷ ଏବଂ ୫୩.୨୮% ମହିଳା ମତାଧିକାର ସାବ୍ୟସ୍ତ କରିଥିଲେ। ମତାଧିକାର ସାବ୍ୟସ୍ତରେ ଲିଙ୍ଗଗତ ବ୍ୟବଧାନ ଥିଲା ୧୮%। ଏହାପରେ ରାବ୍ଡୀ ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ନିର୍ବାଚନରେ ମତଦାନ ହାର ଥିଲା ୪୫.୯୨%। କିନ୍ତୁ ଏଥିରେ ଲିଙ୍ଗଗତ ପାର୍ଥକ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହି ନିର୍ବାଚନରେ ୪୭.୦୨% ପୁରୁଷ ଭୋଟର ଏବଂ ୪୪.୬୨% ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ।
୨୦୦୫ ମସିହା ପରର ସମସ୍ତ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ସଂଖ୍ୟାକୁ ଅତିକ୍ରମ କରିଯାଇଛି ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ଯଦି ଏହି ଧାରା ଅବ୍ୟାହତ ରହେ ତେବେ ନୀତୀଶ ନଭେମ୍ବର ୧୪ର ଫଳାଫଳ ଘୋଷଣା ପରେ ପୁଣି ଭାଗ୍ୟବାନ ହେବାର ସମସ୍ତ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/13/untitled-4-2025-11-13-06-17-55.jpg)