ମୁମ୍ବାଇ: ମହାରାଷ୍ଟ୍ରର ମାଲେଗାଓଁକୁ ଅତି ଶକ୍ତିଶାଳୀ ବିସ୍ଫୋରଣ ଦୋହଲାଇ ଦେବାର ଦୀର୍ଘ ୧୭ ବର୍ଷ ପରେ ଆଜି ଏହି ମାମଲାରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ନେଲ୍‌ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏକେ ଲାହୋଟି କହିଛନ୍ତି, କେବଳ  ସନ୍ଦେହ ଆଧାରରେ ମାମଲାକୁ ଆଗକୁ ବଢ଼ାଇ ହେବନାହିଁ ଏବଂ ବିଚାରଣ ପ୍ରକ୍ରିୟା ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ପ୍ରମାଣ କରିପାରିନାହିଁ।  ‌ଅତ୍ୟନ୍ତ କଠୋର ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି, ଆତଙ୍କବାଦର କୌଣସି ଧର୍ମ ନାହିଁ।   କେବଳ ନୈତିକ ଆଧାରରେ ଜଣଙ୍କୁ ମାମଲାରେ ଦୋଷୀସାବ୍ୟସ୍ତ କରିହେବ ନାହିଁ।  ପ୍ରଜ୍ଞା ଠାକୁର ଏବଂ ପୁରୋହିତଙ୍କ ବାଦ୍‌ ଏହି ମାମଲାରେ ଦୋଷମୁକ୍ତ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି ମେଜର (ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦୀ, ଅଜୟ ରହିରକର, ସୁଧାକର ଦ୍ବିବେଦୀ ଓରଫ ଶଙ୍କରାଚାର୍ଯ୍ୟ ଓ ସମୀର କୁଲକର୍ନି। 

Advertisment

ମିଥ୍ୟା ଅଭିଯୋଗ ମୋ ଜୀବନକୁ ନଷ୍ଟ କରିଦେଇଛି: ସାଧ୍ବୀ ପ୍ରଜ୍ଞା

ଉଲ୍ଲେଖଯୋଗ୍ୟ,  ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ହୋଇଥିବା ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ପବିତ୍ର ରମଜାନ ମାସରେ ଏହି ବିସ୍ଫୋରଣ ହୋଇଥିଲା। ପ୍ରଥମେ ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌) ଏହି ମାମଲାର ତଦନ୍ତ କରିଥିଲା ଏବଂ ପରେ ୨୦୧୧ରେ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏଟିଏସ୍‌ ଅଭିଯୋଗ ଅନୁଯାୟୀ ମୁସଲମାନଙ୍କ ଦ୍ବାରା  ହିନ୍ଦୁଙ୍କ ଉପରେ କରାଯାଇଥିବା ପୂର୍ବ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ଏହି ବିସ୍ଫୋରଣ ଷଡ୍‌ଯନ୍ତ୍ର କରାଯାଇଥିଲା ଏବଂ ଏଥିରେ ଅଭିନବ ଭାରତ ଗୋଷ୍ଠୀ ସମ୍ପୃକ୍ତ ଥିଲା। ଏଟିଏସ୍‌ ଦାବି ଅନୁଯାୟୀ ବିସ୍ଫୋରଣ‌ରେ ବ୍ୟବହାର ହୋଇଥିବା  ମୋଟର ସାଇକେଲ୍‌ର ମାଲିକ ହେଉଛନ୍ତି ପ୍ରଜ୍ଞା‌ ଠାକୁର ଯିଏ କି ଏହି ମାମଲା‌ରେ ୨୦୦୮ରେ ଗିରଫ ହୋଇଥିଲେ। 
ଗୁରୁବାର କୋର୍ଟ କହିଛନ୍ତି, ରେକର୍ଡରେ କୌଣସି ପ୍ରମାଣ ନାହିଁ ଯେ ପୁରୋହିତ  ବୋମା ଖଞ୍ଜିଥିଲେ। ବିଚାରପତି ଲାହୋଟି ମଧ୍ୟ କହିଛନ୍ତି, ପ୍ରଜ୍ଞା ଠାକୁର ଗାଡ଼ିର ମାଲିକ ବୋଲି କୌଣସି ଠୋସ୍‌ ପ୍ରମାଣ ନାହିଁ। ବିଚାରଣ ପ୍ରକ୍ରିୟାରେ ବାଇକ୍‌ଟି ପ୍ରଜ୍ଞା ଠାକୁରଙ୍କର ବୋଲି ପ୍ରମାଣ ହୋଇପାରିଲାନି। କୋର୍ଟ ପୁଣିଥରେ କହିଛନ୍ତି, ପ୍ରଜ୍ଞା ଠାକୁର ବିସ୍ଫୋରଣର ୨ ବର୍ଷ ପୂର୍ବେ ସମସ୍ତ ବସ୍ତୁବାଦୀ ଜିନିଷ ଛାଡ଼ି ସନ୍ନ୍ୟାସିନୀ ହୋଇଥିଲେ। କୋର୍ଟ ମଧ୍ୟ ଅଭିନବ ଭାରତକୁ  ଦୋଷମୁକ୍ତ କରିଛନ୍ତି। ଉକ୍ତ ଗୋଷ୍ଠୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବୋଲି କୌଣସି ପ୍ରମାଣ ନାହିଁ। କୋର୍ଟ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ  ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ କହିଛନ୍ତି। ଆଜି କୋର୍ଟଙ୍କ ରାୟ ଆସିବାପରେ ପ୍ରଜ୍ଞା ଠାକୁର କହିଛନ୍ତି, ଏହା ହିନ୍ଦୁତ୍ବର ବିଜୟ। ପ୍ରଜ୍ଞା ଠାକୁର କହିଛନ୍ତି, ମିଥ୍ୟା‌ ଅଭିଯୋଗ ପାଇଁ ମୋ ଜୀବନ ଗତ ୧୭ ବର୍ଷ ମଧ୍ୟରେ  ନଷ୍ଟ ହୋଇଯାଇଛି।   ହିନ୍ଦୁ ଧର୍ମକୁ ଯେଉଁମ‌ାନେ ‌ଷଡ୍‌ଯନ୍ତ୍ର କରି  ଅପମାନିତ କରିଛନ୍ତି ସେମାନଙ୍କୁ ଭଗବାନ ଦଣ୍ଡ ଦେବେ।  ଶେଷରେ ହିନ୍ଦୁତ୍ବର ବିଜୟ ହୋଇଛି ବୋଲି ସାଧ୍ବୀ ପ୍ରଜ୍ଞା କହିଛନ୍ତି।