ନୂଆଦିଲ୍ଲୀ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଏମସିଓସିଏ (ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ୍) ପ୍ରତ୍ୟାହାର ହୋଇଥିଲେ ମଧ୍ୟ ମାମଲାରୁ ପୁରୋହିତ ଏବଂ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ମାମଲା ଯଥାରୀତି ଚାଲିବ ବୋଲି ଏନ୍୍ଆଇଏ ଅଦାଲତ ନିଷ୍ପତ୍ତି ନେଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ନୂଆ ଚାର୍ଜ ଫ୍ରେମ୍ ହେବ। କୋର୍ଟ ମାମଲାରେ ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତ, ସମିର କୁଲକର୍ନି, ରମେଶ ଉପାଧ୍ୟାୟ ଏବଂ ସୁଧାକର ଦ୍ୱିବେଦୀଙ୍କର ମାମଲାରୁ ମୁକ୍ତି ଆବେଦନକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟ ଅଭିଯୁକ୍ତ ପ୍ରବୀଣ ତକଲ୍କି, ଶ୍ୟାମଲାଲ୍ ସାହୁ ଏବଂ ଶିବନାରାୟଣ କଲସାଙ୍ଗ୍ରାଙ୍କୁ ବିସ୍ଫୋରଣ ମାମଲାରୁ ମୁକ୍ତ କରିଛନ୍ତି।
ଚଳିତବର୍ଷ ଅଗଷ୍ଟ ୨୨ ତାରିଖରେ ସୁପ୍ର୍ରିମକୋର୍ଟ ଜାମିନ ଅନୁମତି ଦେବାପରେ ଉଭୟ ପୁରୋହିତ ଏବଂ କୁଲକର୍ନି ଜାମିନରେ ବାହାରକୁ ଆସିଛନ୍ତି। ସେପ୍ଟେମ୍ବର ୨୯, ୨୦୦୮ରେ ହୋଇଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୧ ଜଣ ଆହତ ହୋଇଥିଲେ। ସେହିବର୍ଷ ଆତଙ୍କବାଦୀ ନିରୋଧ ଦଳ (ଏଟିଏସ) ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ପୁରୋହିତଙ୍କ ସହ ଅନ୍ୟ ୯ଜଣଙ୍କୁ ଏହି ମାମଲାରେ ଗିରଫ କରିଥିଲେ। ଏପ୍ରିଲ ୨୦୧୧ରେ ଏନଆଇଏ ମହାରାଷ୍ଟ୍ର ଏଟିଏସଠାରୁ ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲେ ଏବଂ ଚଳିତ ବର୍ଷ ସାଧ୍ୱୀ ପ୍ରଜ୍ଞାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/purohit225644dl1173.jpg)