ନୂଆଦିଲ୍ଲୀ : ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଅଷ୍ଟମ ସ୍ଥାନରେ ରହିଛି। ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ଏହି ମାନ୍ୟତା ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଝାଡ଼ଖଣ୍ଡର ରାମପୁର ଜିଲ୍ଲା। ସ୍ବାସ୍ଥ୍ୟ ଓ ପୋଷଣ, ଆର୍ଥିକ ଅନ୍ତର୍ଭୁକ୍ତି, ଶିକ୍ଷା, ଭିତ୍ତିଭୂମି, କୃଷି ଓ ଜଳସମ୍ପଦ ସୂଚକାଙ୍କକୁ ଆଧାର କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ୧୦ଟି ଆଂକାକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ୨୦ତମ ଏବଂ କୋରାପୁଟ ଜିଲ୍ଲା ୩୦ତମ ସ୍ଥାନ‌ରେ ରହିଛି। ସେହିଭଳି, ନୂଆପଡ଼ା ଜିଲ୍ଲା ରହିଛି ୮୩ତମ ସ୍ଥାନରେ। ଅନ୍ୟପକ୍ଷରେ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରଥମ ଦଶଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଜପତି ଜିଲ୍ଲା ଦ୍ବିତୀୟ, ବଲାଙ୍ଗୀର ଜିଲ୍ଲା ଷଷ୍ଠ, ରାୟଗଡ଼ା ଜିଲ୍ଲା ଅଷ୍ଟମ ଓ କୋରାପୁଟ ଜିଲ୍ଲା ନବମ ସ୍ଥାନରେ ରହିଛି। ସେହିଭଳି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଓଡିଶାର ମାଲକାନଗିରି ଜିଲ୍ଲା ଦଶମ ଓ ନବରଂଗପୁର ଜିଲ୍ଲା ଦ୍ବାଦଶ ସ୍ଥାନରେ ରହିଛି। ଶିକ୍ଷାକ୍ଷେତ୍ରରେ ବଲାଙ୍ଗୀର ୧୧୦ ସ୍ଥାନ ସହ ନିମ୍ନରେ ରହିଛି। କୃଷି ଓ ଜଳସମ୍ପଦ କ୍ଷେତ୍ରରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ଦଶମ ସ୍ଥାନରେ ରହିଛି।