ଆମକୁ ମାଲ୍ୟା, ମୋଦି ଦିଅ

ପ୍ରତ୍ୟର୍ପଣ ପାଇଁ ବି୍ରିଟେନର ସହଯୋଗ ଲୋଡ଼ିଲା ଭାରତ

ନୂଆଦିଲ୍ଲୀ: ବି୍ରଟେନ୍‌ରେ ଥିବା ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ଲଳିତ ମୋଦିିଙ୍କ ପରି ବ୍ୟକ୍ତିବିଶେଷଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ଆଜି ଭାରତ ବ୍ରିଟେନ୍‌ର ସହଯୋଗ ଲୋଡ଼ିଛି। ବ୍ରିଟେନ୍‌-ଭାରତ ମଧ୍ୟରେ ତୃତୀୟ ଗୃହ ବ୍ୟାପାର ସଂକ୍ରାନ୍ତ ଆଲୋଚନା ସମୟରେ ଭାରତ ଏ ବାବଦରେ ଦୃଢ଼ ଯୁକ୍ତି ଉପସ୍ଥାପ କରି ଏକ ପାରଦର୍ଶୀ ପ୍ରତ୍ୟର୍ପଣ ଚୁକ୍ତି ଉପରେ ଗୁରୁତ୍ୱାରୋପ କରିଛି । କଶ୍ମୀରୀ ଏବଂ ଖଲିସ୍ତାନୀ ବିଚ୍ଛିନତାବାଦୀଙ୍କ ଦ୍ୱାରା କୌଣସି ଭାରତ ବିରୋଧୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବ୍ରିଟେନ୍‌ର ଅଂଚଳ ବ୍ୟବହାର ନହେବା ଉଚିତ୍‌ ବୋଲି ଆଜିର ଆଲୋଚନା ସମୟରେ ଭାରତ କହିଛି। ୯୦୦୦ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ମାମଲାରେ ମାଲ୍ୟା ଏବେ ସିବିଆଇ ଏବଂ ଇଡି ତଦନ୍ତ ସାମ୍ନା କରୁଛନ୍ତି। ସେ ୨୦୧୬ ମସିହା ମାର୍ଚ୍ଚ ୨ ତାରିଖରେ ଭାରତ ଛାଡ଼ିଥିଲେ ଏବଂ ଏହାର ଗୋଟିଏ ବର୍ଷପରେ ତାଙ୍କୁ ପ୍ରତ୍ୟର୍ପଣ ଓ୍ଵାରେଣ୍ଟ୍‌ ସହ ସ୍କଟଲାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା। ଲଳିତ ମୋଦି ମଧ୍ୟ ମନି ଲଣ୍ଡ୍ରିଂ ମାମଲା ପାଇଁ ଦେଶ ଛାଡ଼ି ଏବେ ବ୍ରିଟେନ୍‌ରେ ରହିଛନ୍ତି। ସେମାନଙ୍କୁ ଭାରତକୁୁ ପ୍ରତ୍ୟର୍ପଣ କରିବାପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ରିଟେନ୍‌ ପଦକ୍ଷେପ ନେବାକୁ ଭାରତ କହିଛି। ସେହିପରି ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ ଠକେଇ ମାମଲାରେ ଦେଶ ଛାଡ଼ି ପଳାଇଥିବା ଗହଣା ବ୍ୟବସାୟୀ ନିରବ ମୋଦିଙ୍କୁ ଧରାଇଦେବା ନେଇ ଭାରତ ବ୍ରିଟେନ୍‌ର ସହଯୋଗ ଲୋଡ଼ିଛି। ବିଜୟ ମାଲ୍ୟା ବ୍ରିଟେନର ଅଦାଲତରେ ଚଳିତ ମାସର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଯେଉଁ ଦଲିଲ ରଖିଥିଲେ ତାହାକୁ ବ୍ରିଟିଶ ଅଦାଲତ ଗ୍ରହଣ କରିନଥିବାରୁ ଏବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ଯଥେଷ୍ଟ ଆଶାବାଦୀ ହୋଇଉଠିଛି। ଗତ ମାସରେ ଏକ ଶୁଣାଣିରେ ବ୍ରିଟେନ ଅଦାଲତ କହିଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକ ନିଜର ନୀତି ନିୟମକୁ ଜଳାଞ୍ଜଳି ଦେଇ ମାଲ୍ୟାଙ୍କ ସଂସ୍ଥାଗୁଡ଼ିକୁ ଋଣ ପ୍ରଦାନ କରିଛନ୍ତି। ଭାରତୀୟ ବ୍ୟାଙ୍କ୍‌ର ଅନିୟମିତତା ବନ୍ଦ ଆଖିରେ ମଧ୍ୟ ଦେଖାଯାଉଛି ବୋଲି କୋର୍ଟ କଟାକ୍ଷ କରିଥିଲେ। ତେବେ ଏପ୍ରିଲ ଶୁଣାଣିରେ ଭାରତର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦେଇଥିବା ରିପୋର୍ଟକୁ କୋର୍ଟ ଗ୍ରହଣ କରି ମାଲ୍ୟାଙ୍କୁ ଅଭିଯୁକ୍ତ ଦର୍ଶାଇଥିବାରୁ ତାଙ୍କର ସଙ୍କଟ ବଢ଼ିଯାଇଛି । କୋର୍ଟ ଏ ବାବଦରେ ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକଠାରୁ ଅଧିକ ସ୍ପଷ୍ଟୀକରଣ ଲୋଡ଼ିନଥିବାରୁ ୬୨ ବର୍ଷୀୟ ମାଲ୍ୟାଙ୍କୁ ଯଥାଶୀଘ୍ର ପ୍ରତ୍ୟର୍ପଣ କରି ଭାରତ ଆଣିବା ପାଇଁ ଚାଲିଥିବା ଉଦ୍ୟମ ତ୍ୱରାନ୍ଵିତ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଦସ୍ତାବିଜକୁ ଅଦାଲତ ମାଲ୍ୟାଙ୍କ ବିରୋଧରେ ପ୍ରମାଣ ଭାବେ ଗ୍ରହଣ କରିଥିବାରୁ ଯେ କୌଣସି ସମୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର