ଜାନୁଆରିରେ ମାଲ୍ୟାଙ୍କୁ ଦଣ୍ଡ ଶୁଣାଇବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ପଳାତକ ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ୨୦୨୨ ଜାନୁଆରି ୧୮ରେ ସୁପ୍ରିମ୍‌ କୋର୍ଟ ଦଣ୍ଡ ଶୁଣାଇବେ। ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ରହିଛି। ଏହି ମାମଲାର ଶୁଣାଣି କରି ବିଚାରପତି ୟୁ ୟୁ ଲଲିତ, ଏସ୍‌ଆର୍‌ ଭଟ୍‌ ଓ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜାନୁଆରି ମାସର ଦ୍ବିତୀୟ ସପ୍ତାହ ପାଇଁ ଆମେ ଏହି ମାମଲାକୁ ତାଲିକାଭୁକ୍ତ କରିବୁ। ଆମେ ବହୁତ ଦିନ ଅପେକ୍ଷା କଲୁ। ଆଉ ଅଧିକ ଦିନ ଅପେକ୍ଷା କରିପାରିବୁନି। ଦିନେ ନା ଦିନେ ଏହି ପ୍ରକ୍ରିୟା ଶେଷ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ଯଦି ମାଲ୍ୟା ବ୍ୟକ୍ତିଗତ ଭାବେ ହାଜର ହେବାକୁ ଚାହିବେ ତେବେ ପ୍ରତ୍ୟର୍ପଣ ଜରିଆରେ ସେ ଆସିପାରିବେ। ଅନ୍ୟଥା ତାଙ୍କୁ ନେଇ ଯେଉଁ ଦଣ୍ଡବିଧାନ କରାଯିବ ତାହାର ନକଲ ମାଲ୍ୟାଙ୍କ ଆଇନଜୀବୀଙ୍କୁ ଦିଆଯିବ। ୨୦୧୭ ମସିହାର ଏକ ଅଦାଲତ ଅବମାନନା ମାମଲାରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବନ୍ଦ ହୋଇଯାଇଥିବା ବିମାନ କଂପାନି କିଙ୍ଗଫିସର ଏୟାରଲାଇନ୍ସ ନାମରେ ଦେଶର ବିଭିନ୍ନ ବ୍ୟାଙ୍କ ଠାରୁ ୯୦୦୦ କୋଟି ଟଙ୍କାର ଋଣ ନେଇ ତାହାକୁ ମାଲ୍ୟା ଆଉ ପରିଶୋଧ କରିନାହାନ୍ତି। ତାଙ୍କୁ ଧରିବା ପୂର୍ବରୁ ସେ ଦେଶ ଛାଡ଼ି ବ୍ରିଟେନ୍ ପଳାଇଛନ୍ତି। ୨୦୧୬ ମାର୍ଚ୍ଚରୁ ସେ ବ୍ରିଟେନ୍‌ରେ ରହୁଛନ୍ତି। ସେଠାରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ବ‌ିରୋଧରେ କୋର୍ଟରେ ମାମଲା ଚାଲିଥିଲା।

ସମ୍ବନ୍ଧିତ ଖବର