ସରୁନି ମାଲ୍ୟାଙ୍କ ସମସ୍ୟା , ୟୁରୋପରେ ବିଳାସମୟ ଜାହଜ ଜବତ

ଲଣ୍ଡନ : ଭାରତରୁ ପ୍ରାୟ ୯ ହଜାର କୋଟି ଟଙ୍କା ଠକିନେଇ ଲଣ୍ଡନ ପଳେଇଯାଇଥିବା ମଦବ୍ୟବସାୟୀ ବିଜୟ ମାଲ୍ୟା ଆଉ ଏକ ସମସ୍ୟାରେ ପଡ଼ିଯାଇଛନ୍ତି । ମାଲ୍ୟାଙ୍କ ଏକ ବିଳାସମୟ ଜାହଜ ବା ସୁପରୟଚ୍‌କୁ ଦକ୍ଷିଣ ୟୁରୋପୀୟ ଦ୍ୱୀପରାଷ୍ଟ୍ର ମାଲଟାରେ ଜବତ କରାଯାଇଛି । ପ୍ରାୟ ୯୩ ନିୟୁତ ଡଲାର ମୂଲ୍ୟର ଏହି ସୁପରୟଚ୍‌ର ନାମ ହେଉଛି ଇଣ୍ଡିଆନ ଏମ୍ପ୍ରେସ୍‌( ଭାରତୀୟ ସାମ୍ରାଜ୍ଞୀ ) ।

 

ଇଣ୍ଡିଆନ ଏମ୍ପ୍ରେସ୍‌ ୟଚ୍‌ର କର୍ମଚାରୀମାନଙ୍କୁ ବିଗତ ଅନେକ ମାସ ଧରି ଦରମା ଦିଆଯାଇନଥିବାରୁ ଲଣ୍ଡନ ଭିତ୍ତିକ ଏକ ସାମୁଦ୍ରିକ ଟ୍ରେଡ ୟୁନିୟନ ପକ୍ଷରୁ ଏହାକୁ ଜବତ କରାଯାଇଛି । ତେବେ ଦେବାଳିଆ ସ୍ଥିତିକୁ ଆସିଯାଇଥିବା ଏହି ୟଚ୍‌କୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମାଲ୍ୟା ପରିତ୍ୟାଗ କରିଥିଲେ । ତେବେ ଏହାର କର୍ମଚାରୀଙ୍କର ଥିବା ପ୍ରାୟ ୩୩୦ହଜାର ଡଲାର ବକେୟା ଦରମା ରହିଛି । ଏହି ୟଚ୍‌ରେ ପ୍ରାୟ ୪୦ ଜଣ କର୍ମଚାରୀ କାମକରୁଥିଲେ ପ୍ରତ୍ୟେକ କର୍ମଚାରୀଙ୍କର ୬ ହଜାର ଡଲାରରୁ ୯୨ ହଜାର ଡଲାର ପର୍ଯ୍ୟନ୍ତ ବକେୟା ରହିଛି ।

ସୂଚନାଯୋଗ୍ୟ ଯେ କିଙ୍ଗଫିସର ଗ୍ରୁପର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କ ନାମରେ ୯ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ବ୍ୟାଙ୍କ ଋଣ ଥିବାବେଳେ ସେ ତାହାକୁ ନ ସୁଝି ଗତ ବର୍ଷ ବିଦେଶ ପଳାୟନ କରିଛନ୍ତି ।

ସମ୍ବନ୍ଧିତ ଖବର