ନୂଆଦିଲ୍ଲୀ: କୋଲକାତାର ଆର୍ଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆଜି ଦେଶବ୍ୟାପୀ ସବୁ ସରକାରୀ ହସ୍ପିଟାଲର ରେସିଡେଣ୍ଟ୍ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି। ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କ ଆନ୍ଦୋଳନ ଓ ବିକ୍ଷୋଭ ଦେଖିବାକୁ ମିଳିଛି। ପୀଡ଼ିତ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ସହିତ ଡାକ୍ତରଙ୍କ ସୁରକ୍ଷା ଆଦି ଦାବିରେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀର ଏମ୍ସ, ରାମ ମନୋହର ଲୋହିଆ, ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଜିଟିବି ହସ୍ପିଟାଲର ଡାକ୍ତରମାନେ ଆଜି କୋଲକାତା ଡାକ୍ତର ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି। କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫୋର୍ଡା (ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଏସୋସିଏସନ୍) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା।
ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ହସ୍ପିଟାଲ୍ ପରିସରରେ ଆନ୍ଦୋଳନ କରିଥିଲେ। ସେମାନେ ମଧ୍ୟ ଏହି ମାମଲା ପାଇଁ ଦାୟୀ ଆର୍ଜି ମେଡିକାଲ କଲେଜର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଇସ୍ତଫା ଦାବି କରିଥିଲେ। ରବିବାର ମଧ୍ୟ ଡାକ୍ତର ସଂଘ ପକ୍ଷରୁ ପୀଡ଼ିତାଙ୍କ ସମର୍ଥନରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା ଏବଂ ତାଙ୍କ ପାଇଁ ନ୍ୟାୟ ଦାବି କରାଯାଇଥିଲା। ସେମାନେ ପୀଡ଼ିତା ଡାକ୍ତରଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ଇତି ମଧ୍ୟରେ ଫୋର୍ଡା ଇଣ୍ଡିଆ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଏକ ଚିଠି ଲେଖି ମୃତ ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମଧ୍ୟ କିଙ୍ଗ୍ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟି ଏବଂ ହସ୍ପିଟାଲରେ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ପୀଡ଼ିତ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଏଥିସହିତ ରବିବାର ସୁଦ୍ଧା ଏହି ମାମଲାର ତଦନ୍ତ ଶେଷ ନହେଲେ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।