ମମତା ନଇଁଲେ, ଡାକ୍ତର ଜିଦ୍‌ରେ ଅଟଳ

କୋଲକାତା : ପଶ୍ଚିମବଂଗରେ ୫ ଦିନ ଧରି ଚାଲିଥିବା ଡାକ୍ତର ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସାରା ରାଜ୍ୟରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷରେ ଆନ୍ଦୋଳନରତ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ମାତ୍ର ମମତାଙ୍କ ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରି ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ସରକାର ଗ୍ରହଣ କରିଥିବା ଘୋଷଣା କରିଥିଲେ। ସେ କହିଥିଲେ ଯେ ରାଜ୍ୟରେ ଏସ୍‌ମା ଲାଗୁ ହେବନାହିଁ ଏବଂ କନିଷ୍ଠ ଡାକ୍ତରମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆନ୍ଦୋଳନରେ ସାମିଲ ହୋଇଥିବା ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଏବଂ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। କେନ୍ଦ୍ର ସରକାର ମଧ୍ୟ ଡାକ୍ତରଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ସବୁଆଡ଼ୁ ଚାପ ପଡ଼ିବା ପରେ ମମତା ଆଜି ଡାକ୍ତରଙ୍କ ସବୁ ଦାବିକୁ ମାନି ନେବାକୁ ରାଜି ହୋଇ ଯାଇଥିଲେ। ତେବେ ଡାକ୍ତରମାନେ ସାମ୍ବିଧାନିକ ସଂସ୍ଥାକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ମମତା କହିଥିଲେ।

ମମତାଙ୍କ ଏହି ପ୍ରତିଶ୍ରୁତିକୁ କିନ୍ତୁ ଡାକ୍ତରମାନେ ଗ୍ରହଣ କରିନାହାନ୍ତି। କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଇ ନାହିଁ ଏବଂ ସୁରକ୍ଷା ପାଇଁ ପଦକ୍ଷେପ ସୁନିଶ୍ଚିତ କରାଯାଇ ନଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି କନିଷ୍ଠ ଡାକ୍ତରଙ୍କ ମିଳିତ ଫୋରମ୍‌ କହିଛି।

ଅନ୍ୟପକ୍ଷରେ ଆଜି ମମତା ହସ୍ପିଟାଲ ଯାଇ ଆହତ ଡାକ୍ତରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏହାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ଆସନ୍ତାକାଲି ସେ ଆହତ ଡାକ୍ତରଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ରାଜ୍ୟର ଦୁଇ ଜଣ ମନ୍ତ୍ରୀ, ପ୍ରଧାନ ସଚିବ ଡାକ୍ତର ସଂଘ ନେତାଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ ମଧ୍ୟ ସେମାନେ ଏଥିରେ ସହଯୋଗ କରିନଥିଲେ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର