ମମତା-ଅଖିଳେଶ ମେଣ୍ଟ, ନବୀନଙ୍କୁ ଭେଟିବେ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଟିଏମ୍‌ସି ସୁପ୍ରିମୋ ମାର୍ଚ୍ଚ ୨୧ ସନ୍ଧ୍ୟାରେ ଓଡ଼ିଶା ଆସିବେ। ୨୨ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ୨୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ନବୀନ ଏବଂ ମମତା ବିରୋଧୀ ଏକତା ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ପଶ୍ଚିମବଙ୍ଗରେ ଦଳୀୟ କର୍ମୀମାନଙ୍କର ବୈଠକ କରିଛନ୍ତି। ବୈଠକ କରିବା ପରେ ଅଖିଳେଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ମମତାଙ୍କୁ ଭେଟିବାପରେ ଅଖି‌ଳେଶ କହିଛନ୍ତି, ତାଙ୍କ ଦଳ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ଦୂରତା ଅବଲମ୍ବନ କରିବ। ପଶ୍ଚିମବଙ୍ଗରେ ଆମେ ମମତା ଦିଦିଙ୍କ ସହ ଅଛୁ ଏବଂ ଆମେ ବିଜେପି ଓ କଂଗ୍ରେସଠାରୁ ଦୂରତା ଅବଲମ୍ବନ କରୁଛୁ। ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ସମାଜବାଦୀ ପାର୍ଟି ଯେକୌଣସି ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। ଯଦି ଆମେ ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ତେବେ ଦେଶବ୍ୟାପୀ ବିଜେପିକୁ ହରାଇ ହେବ। ଯିଏ ବି ସମ୍ବିଧାନର ଅପମାନ କରିବ ଆମେ ସେମାନଙ୍କ ସହ ଲଢ଼େଇ କରିବୁ। ଆମେ ଯେକୌଣସି ଉପା‌ୟରେ ସମ୍ବିଧାନକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଅଛୁ ‌ବୋଲି ସେ କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଖିଳେଶ ମମତାଙ୍କୁ ସମର୍ଥନ କରିବେ ଆଜି ସ୍ପଷ୍ଟ କରି ଦେଇଛନ୍ତି।

ଇତିମଧ୍ୟରେ ଟିଏମ୍‌ସି ନେତା ସୁଦୀପ ବନ୍ଦ୍ୟୋପଧ୍ୟାୟ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାର୍ଚ୍ଚ ୨୩ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଆମେ କୌଣସି ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେଉନୁ। କିନ୍ତୁ ବିଜେପି ବିରୋଧରେ ଆଞ୍ଚଳିକ ଦଳଗୁଡ଼ିକୁ ସୁଦୃଢ଼ କରି ଠିଆ କରାଇବା ଆମ ଲକ୍ଷ୍ୟ।

ସମ୍ବନ୍ଧିତ ଖବର