ବିରୋଧୀଙ୍କ ବୈଠକ ଏଡ଼ାଇଗଲେ ମମତା

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ପ୍ରାର୍ଥୀଭାବେ ଯଶୱନ୍ତ ସିହ୍ନାଙ୍କୁ ଅବତୀର୍ଣ୍ଣ କରାଯାଇଛି। ତାଙ୍କୁ ସେପରି ସମର୍ଥନ ମିଳିବା ଦେଖାଯାଉନାହିଁ। ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ନାମ ‌ଗତକାଲି ଘୋଷଣା ହୋଇଥିବା ବେଳେ ରବିବାର ଦିନ ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ରବିବାର ଉପରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା। କିନ୍ତୁ ଏହି ବୈଠକକୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଡ଼ାଇ ଯାଇଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ଏହାର ଆଭିମୁଖ୍ୟ ଆସନ୍ତା ୨୧ ତାରିଖରେ ସ୍ପଷ୍ଟ କରିବ। ମମତା ଏଥିପାଇଁ ସେହିଦିନ ଏକ ବୈଠକ ଡାକିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛି। କାରଣ ଜଗଦୀପ ଧନଖଡ଼ ଏବଂ ତୃଣମୂଳ ନେତୃତ୍ବରେ ପରିଚାଳିତ ପଶ୍ଚିମବଙ୍ଗ ସରକାର ମଧ୍ୟରେ ସଂପର୍କ ଆଦୌଁ ଭଲ ନାହିଁ। ଅନେକ ସମୟରେ ରାଜ୍ୟ ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ଯଦିଓ ତୃଣମୂଳ କଂଗ୍ରେସ ଓ ଧନଖଡ଼ଙ୍କ ମଧ୍ୟରେ ସଂପର୍କ ଭଲନାହିଁ ତଥାପି ଏ କ୍ଷେତ୍ରରେ ଦଳର ଆଭିମୁଖ୍ୟ ଭିନ୍ନ ହୋଇପାରେ‌ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର