ମୋଦୀଙ୍କ କାର୍ଯ୍ୟକ୍ରମକୁ ଗଲେନାହିଁ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି | ଆଉ ଏହି କସରତର ପ୍ରଭାବ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ସମନ୍ୱୟ ଉପରେ ମଧ୍ୟ ପଡିଛି। କାରଣ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ | ଆଉ ପ୍ରୋଟୋକଲ ଅନୁଯାୟୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା | କିନ୍ତୁ ମମତା ଏହି ଉତ୍ସବରେ ଯୋଗ ଦେଇନାହାଁନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ଯୋଗ ଦେଇଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଭାଗ ନେଇନଥିଲେ। ଡିସେମ୍ବର ୪ ରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଇଁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମମତା ବାନାର୍ଜୀଙ୍କୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବରେ ଆସିବାକୁ ଅନୁରୋଧ କରାଯାଇଥିଲା।

କିନ୍ତୁ ମମତା ଏଥିରେ ଯୋଗ ଦେଇନାହାଁନ୍ତି | ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବିଶ୍ୱବିଦ୍ୟାଳୟ ପ୍ରଶାସନ ଦାବି କରୁଥିବାବେଳେ ତୃଣମୂଳ କଂଗ୍ରେସ କହିଛି ଯେ ମମତା ବାନାର୍ଜୀଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ। ସୂଚନା ଥାଉ ଯେ, ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ଭାଗ ନେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର