କୋଲକାତା: ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏବେ ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଚାଲିଛି | ଦେଶର ଅନେକ ବଡ ବଡ ନେତା, ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି | ତେବେ ଏହାରି ଭିତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଜେପି ଉପରେ ଆକ୍ରମଣ କରିଥିଲେ। ବାନାର୍ଜୀ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ଉଦଘାଟନ କରି ବିଜେପି ଡ୍ରାମା କରୁଛି। ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଜୟନଗରରେ କହିଛନ୍ତି, "ମୋତେ ରାମ ମନ୍ଦିର ବିଷୟରେ ପଚରାଯାଇଥିଲା। ମୁଁ ସେହି ଉତ୍ସବରେ ବିଶ୍ୱାସ କରେ ଯାହା ସମସ୍ତଙ୍କୁ ଏକତ୍ର କରିଥାଏ। ନିର୍ବାଚନ ପୂର୍ବରୁ ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ। ନିର୍ବାଚନ ପୂର୍ବରୁ ସେମାନେ ଡ୍ରାମା କରୁଛନ୍ତି। ମୋର କୌଣସି ଅସୁବିଧା ନାହିଁ। ତେବେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଅବହେଳା କରିବା ଠିକ୍ ନୁହେଁ | ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଈଶ୍ୱର-ଆଲ୍ଲାଙ୍କ ନିକଟରେ ଶପଥ କରୁଛି ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଭେଦଭାବ କେବେବି କରିବି ନାହିଁ।

Advertisment

ମୁଁ ଧର୍ମ ଆଧାରରେ ଲୋକଙ୍କୁ ବିଭାଜନ କରିବାରେ ବିଶ୍ୱାସ କରେ ନାହିଁ। ବାସ୍ତବରେ ଜାନୁୟାରୀ ୨୨ରେ ହେବାକୁ ଥିବା ରାମ ମନ୍ଦିରର କାର୍ଯ୍ୟକ୍ରମ ପାଇଁ ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, କିନ୍ତୁ ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି, “ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ମମତା ବାନାର୍ଜୀ କିମ୍ବା ଅନ୍ୟ କୌଣସି ଟିଏମସି ପ୍ରତିନିଧୀ ଯୋଗ ଦେବାର ପ୍ରଶ୍ନ ଉଠୁ ନାହିଁ। ରାଜନୀତିକୁ ଧର୍ମ ସହିତ ମିଶ୍ରଣ କରିବାରେ ଆମେ ବିଶ୍ୱାସ କରୁନାହୁଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗଦେବେ।