ଶେଷରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ମମତା; ଆଲୋଚନାର ଲାଇଭ୍‌ ଟେଲିକାଷ୍ଟ ପାଇଁ ହେଲେ ରାଜି; ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଆଲୋଚନା

କୋଲକାତା: ନିଜର ସୁରକ୍ଷା ଦାବୀରେ ପଶ୍ଚିମବଙ୍ଗର ଡାକ୍ତରମାନେ ଆରମ୍ଭ କରିଥିବା ଧର୍ମଘଟ ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଡାକ୍ତରମାନଙ୍କୁ ସମର୍ଥନ ଜଣାଇ ଆଜି ସମଗ୍ର ଦେଶର ଉଭୟ ସରକାରୀ ଓ ବେସରକାରୀ ଡାକ୍ତରମାନେ କାର୍ଯ୍ୟବନ୍ଦ କରିଦେଇ ଥିବାରୁ ପୂରା ଦେଶରେ ଚିକିତ୍ସା ସେବା ଠପ୍‌ ହୋଇ ଯାଇଛି।

News Nation

ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କର ଧର୍ମଘଟ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଆନ୍ଦୋଳନରତ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ କୌଣସି ପ୍ରକାରର ଆଲୋଚନାରେ ସାମିଲ ହେବେ ନାହିଁ ବୋଲି ଜଣାଇଦେବା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଅଡୁଆ ଆହୁରି ବଢ଼ି ଯାଇଛି।

News Nation

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରଥମେ ନିଜର ସୁରକ୍ଷା ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଥିବା ଏନ୍‌ଆର୍‌ଏସ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ ଡାକିବା ପରିବର୍ତ୍ତେ ରାଜ୍ୟରେ ଥିବା ୧୪ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲର ୨ ଜଣ କରି ପ୍ରତିନିଧିଙ୍କୁ ନେଇ ଏକ ୨୮ ଜଣିଆ ପ୍ରତିନିଧି ମଣ୍ଡଳୀକୁ ଆଲୋଚନା ପାଇଁ ଡାକିଥିଲେ। ପ୍ରଥମେ ଆନ୍ଦୋଳନରତ ଏନ୍‌ଆର୍‌ଏସ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଭାବେ ଏହି ପ୍ରସ୍ତାବରେ ରାଜି ହୋଇଥିଲେ। ସର୍ତ୍ତଥିଲା ଆଜି (ସୋମବାର) ଦିନ ୩ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ମଣ୍ଡଳୀର ଆଲୋଚନା ହେବ ଏବଂ ଆଲୋଚନା କାଳରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ଓ ପୂରା ଆଲୋଚନାର ଲାଇଭ୍‌ ଟେଲିକାଷ୍ଟ ହେବ। ଏଥିପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହୋଇଥିବା ବେଳେ ପରେ ଏଥିରୁ ‘ୟୁ’ ଟର୍ଣ୍ଣ ନେଇ ଯାଇଥିଲେ। ମୁଖ୍ୟମନ୍ତ୍ରୀ ମମତା ସର୍ତ୍ତ ଭାଙ୍ଗିଥିବାରୁ ଆନ୍ଦୋଳନରତ ଡାକ୍ତରମାନେ ଆଉ ଆଲୋଚନା ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ।

New Indian Express

ତେବେ, ଏଇ ମାତ୍ର ହସ୍ତଗତ ହୋଇଥିବା ସବିଶେଷ ରିପୋର୍ଟରୁ ଜାଣିବାକୁ ମିଳିଛି ସେ ଶେଷରେ ମୁଖ୍ୟମନ୍ତ୍ରୀ ମମତା ଡାକ୍ତରଙ୍କ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଏବଂ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କାଳରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ଓ ପୂରା ଆଲୋଚନାର ଲାଇଭ୍‌ ଟେଲିକାଷ୍ଟ ହେବବୋଲି ରାଜି ହେବା ପରେ ଆନ୍ଦୋଳନରତ ଡାକ୍ତରମାନେ ତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର