ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ନୀତି ଆୟୋଗର ପରିଚାଳନା ପରିଷଦ୍ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଯୋଗ ଦେଇ ନ ପାରନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଏହି ବୈଠକରେ ଯୋଗ ଦେବେ।
ନୀତି ଆୟୋଗ ବୈଠକ ନିଷ୍ଫଳ କହି ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ଏହି ସଙ୍ଗଠନର କୌଣସି ଆର୍ଥିକ କ୍ଷମତା ନ ଥିବାରୁ ରାଜ୍ୟର ଯୋଜନାଗୁଡ଼ିକୁ ସହାୟତା ଦେଇ ପାରିବ ନାହିଁ।
Image Courtesy of NDTVସେହି କାରଣରୁ ଫେବ୍ରୁଆରି ୨୦ରେ ହେବାକୁ ଥିବା ନୀତି ଆୟୋଗର ବୈଠକରେ ସେ ଯୋଗ ଦେଇ ନ ପାରନ୍ତି ବୋଲି ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ।
ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ନୀତି ଆୟୋଗ ବୈଠକରେ କୃଷି, ଭିତ୍ତିଭୂମି, ଉତ୍ପାଦନ ଏବଂ ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ ଓ ସ୍ୱାସ୍ଥ୍ୟ ଏବଂ ପୋଷକତତ୍ତ୍ୱ ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/niti.jpg)