ରାଷ୍ଟ୍ରପତି ଜଣେ ବହୁତ ଭଲ ମହିଳା, ମୋ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗୁଛି: ମମତା ବାନାର୍ଜୀ

କୋଲକାତା: କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଟିଏମସି ଏହାକୁ ନିନ୍ଦା କରିବାରୁ ପରେ ସେ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହି କ୍ଷମା ତାଙ୍କୁ ବଞ୍ଚାଇପାରିନଥିଲା। କିଛି ଦଳ ତାଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଥିଲେ। ଏନେଇ ଟିଏମସିକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଦଳର ଭାବମୂର୍ତ୍ତି ଖରାପ ହେଉଥିବା ଦେଖି ଏବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, “ଆମେ ରାଷ୍ଟ୍ରପତିଙ୍କୁ ବହୁତ ସମ୍ମାନ କରୁ। ସେ ଜଣେ ବହୁତ ଭଲ ମହିଳା। ମୁଁ ମୋ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରୁଛି। ଅଖିଳ ଗିରି ଏଭଳି କହି ଭୁଲ କରିଛନ୍ତି। ମୁଁ ତାଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ଏବଂ ଏଥିପାଇଁ କ୍ଷମା ମାଗୁଛି। ଅପଣ କିପରି ଦେଖାଯାଉଛନ୍ତି ତାହା ସୌନ୍ଦର୍ଯ୍ୟ ନୁହେଁ, ଆପଣଙ୍କ ମନ କେତେ ଭଲ, ତାହା ହେଉଛି ସୌନ୍ଦର୍ଯ୍ୟ”।

ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମର ଏକ ଗାଁରେ ଆୟୋଜିତ ଏକ ରାଲିରେ ଅଖିଳ ଗିରି କହିଥିଲେ ଯେ, ବିଜେପି କହୁଛି ଯେ ମୁଁ ସୁନ୍ଦର ଦେଖାଯାଉ ନାହିଁ। ଆମେ ସେମାନଙ୍କ ଭଳି କାହାର ରୂପକୁ ନେଇ ‌ସମାଲୋଚନା କରୁନାହୁଁ। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି?” ଏଭଳି ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିବାକୁ ସେ ସଫେଇ ଦେଇ କହିଥିଲେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୀର୍ଘ ଦିନ ହେବ ମତେ ସମାଲୋଚନା କରୁଥିଲେ। ମତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଥିଲେ। ତେଣୁ, ମୁଁ ଚିଡ଼ି ଯାଇଥିଲି। ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଏମିତିକା କଥା ବାହାରି ପଡ଼ିଲା। ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ପ୍ରତିଦିନ ମୋ ଚେହେରା ପାଇଁ ମୋତେ ଅସମ୍ମାନ କରେ ବିଜେପି। ଏହାର ଜବାବ ଦେବା ବେଳେ ମୁଁ ଭୁଲ କରିଛି। ମୁଁ ଏପରି ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗୁଛି। ଆମ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି।

ସମ୍ବନ୍ଧିତ ଖବର