କାଲି କହୁଥିଲେ ଦିଲ୍ଲୀର ଟଙ୍କା ଦରକାର ନାହିଁ, ଆଜି ଟଙ୍କା ନଦେଲେ ମୋଦୀଜୀଙ୍କୁ କ୍ଷମତା ଛାଡିବାକୁ କହିଲେ ଦିଦି

କୋଲକାତା: କାଲି କହୁଥିଲେ ଦିଲ୍ଲୀର ଟଙ୍କା ଦରକାର ନାହିଁ। ହେଲେ ଆଜି ଟଙ୍କା ନଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟିଯିବାକୁ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ ମୁଖ୍ୟମନ୍ତ୍ରୀ ମମତା, ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଥିଲା।

ସେ କହିଥିଲେ ଯେ, “୧୦୦ ଦିନିଆ ଚାକିରି ଗ୍ୟାରେଣ୍ଟି ସ୍କିମ୍ ପାଣ୍ଠି ବାଧ୍ୟତାମୂଳକ। ହେଲେ ଏଭଳି ହେଉନାହିଁ। ପ୍ରତିଶ୍ରୁତି ପୂରଣ କରୁନଥିବାରୁ ମୁଁ ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି। ହେଲେ ଏହାର ସମାଧାନ ଆଜି ଯାଏ ବି ହୋଇପାରିନାହିଁ। ଏବେ ମୁଁ କ’ଣ ଆପଣଙ୍କ ପାଦତଳେ ପଡ଼ି ଭିକ ମାଗିବା ଉଚିତ କି?” ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଦିଦି।

ଏହା ସହ ସେ କହିଥି‌ଲେ ଯେ, “ଆମକୁ ଆମର ବାକି ଥିବା ଟଙ୍କା ଦିଅ। ଏହା ଆମର ଟଙ୍କା। ଅନ୍ୟଥା, ଜିଏସିଟି ହଟାଅ। ୧୦୦ଦିନିଆ ଚାକିରି ଯୋଜନା ପାଇଁ ଆମକୁ ଆମ ବକେୟା ଦିଅନ୍ତୁ ନଚେତ୍ ଆପଣ କ୍ଷମତାରୁ ହଟିଯାଆନ୍ତୁ। କେନ୍ଦ୍ର ପଶ୍ଚିମବଙ୍ଗକୁ ପାଣ୍ଠି ଦେବା ବନ୍ଦ କରିବ ବୋଲି ଧମକ ଦେଉଛି। ଏଭଳି ହେଲେ ଆମେ ବି ଜିଏସିଟି ଦେବା ବନ୍ଦ କରିଦେବୁ। ଆପଣ ଏଠାରେ ଟିକସ ସଂଗ୍ରହ କରି ଆମର ବକାୟାକୁ ଅଟକାଇ ପାରିବେ ନାହିଁ।”

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କହିଥିଲେ ଯେ, ତାଙ୍କୁ ଦିଲ୍ଲୀର ଟଙ୍କା ଦରକାର ନାହିଁ ଓ ତାଙ୍କ ରାଜ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସକ୍ଷମ । କେତେକ ବ୍ୟକ୍ତି ପଶ୍ଚିମବଙ୍ଗରେ ରହି କେନ୍ଦ୍ର ସରକାରଙ୍କୁ କହୁଛନ୍ତି ଯେ ରାଜ୍ୟକୁ ପାଣ୍ଠି ଦିଅ ନାହିଁ, ଆମର ବି ତାହା ଦରକାର ନାହିଁ ।

ସମ୍ବନ୍ଧିତ ଖବର