ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ଵିଟରରେ ବ୍ଲକ୍ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇଥବା ହ୍ୱାଟ୍ସଆପ୍ ମେସେଜ୍ ବିଷୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ରାଜ୍ୟପାଳଙ୍କ ଅନୁଯାୟୀ, ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ବାର୍ତ୍ତାରେ ଲେଖା ହୋଇଛି, ସାମ୍ବିଧାନିକ କାର୍ଯ୍ୟରେ କଥାବାର୍ତ୍ତା ଏବଂ ସମନ୍ୱୟ ହେଉଛି ଗଣତନ୍ତ୍ରର ମୂଳ ଆତ୍ମା ଏବଂ ସମ୍ବିଧାନର ଆଦେଶ। ଏହା ପାରସ୍ପରିକ ସମ୍ମାନ ଦ୍ଵାରା ଆଗକୁ ବଢିପାରେ। ରାଜ୍ୟପାଳ ଜଗଦୀପ ଧନକର୍ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇଥିବା ବାର୍ତ୍ତା ସୋମବାର ସକାଳ ୧୦ଟା ୨୫ରେ ପଢାଯାଇଛି।

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ କହିଥିଲେ ଯେ ସେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଟ୍ୱିଟରରେ ବ୍ଲକ୍ କରି ଦେଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ରାଜ୍ୟପାଳ ଟ୍ୱିଟ୍ କରି ଆମ ଉପରେ ଆକ୍ରମଣ କରୁଛନ୍ତି। ଯେପରି ସେ ମୁଖିଆ ଓ ଆମେ ଶ୍ରମିକ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ଜଗଦୀପ ଧନକର୍ ଫୋନ୍ ଟ୍ୟାପିଂ କରିଛନ୍ତି ଏବଂ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ପୋଲିସ୍ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ଧମକଚମକ ଦେଇଛନ୍ତି।

ବର୍ଷେ ହେଲା ଆମେ ଧୈର୍ଯ୍ୟର ସହ ଯନ୍ତ୍ରଣା ଭୋଗୁଛୁ। ସେ ରାଜ୍ୟପାଳ ଅନେକ ଫାଇଲ୍ ପାରିତ କରିନାହାଁନ୍ତି। ସେ ପ୍ରତ୍ୟେକ ଫାଇଲକୁ ବିଚାରାଧୀନ ରଖିଛନ୍ତି। ନୀତିଗତ ନିଷ୍ପତ୍ତି ବିଷୟରେ ସେ କିପରି କହିପାରିବେ ବୋଲି ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ଜଗଦୀପ ଧନକର୍ଙ୍କ ବିଷୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କାହିଁକି ରାଜ୍ୟପାଳଙ୍କୁ ହଟାଇ ନାହାଁନ୍ତି ? ପେଗାସସ୍ ରାଜ୍ୟପାଳଙ୍କ ଘରୁ ପରିଚାଳିତ ହେଉଛି । ସେ ଫୋନ୍ ଟ୍ୟାପ୍ କରୁଛନ୍ତି।

ଏହାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ୍ ମଧ୍ୟ ସୋମବାର ଟ୍ୱିଟରରେ କହିଛନ୍ତି ଯେ ସେ ମଧ୍ୟ ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଲକ୍ କରି ଦେଇଛନ୍ତି।

 

ସମ୍ବନ୍ଧିତ ଖବର