ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବର୍ଷେ ବାକି: କିନ୍ତୁ ଏବେ ଠୁ ଆରମ୍ଭ ହୋଇଗଲା ଶାହାଙ୍କ ‘ସୋନାର ବାଂଲା’ ବନାମ ଦିଦିଙ୍କ ‘ବାଂଲାର ଗର୍ବୋ’…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆହୁରି ପ୍ରାୟ ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ବାକି ରହିଛି। କିନ୍ତୁ, ଏବେଠାରୁ ପଶ୍ଚିମବଙ୍ଗରେ ଦେଖିବାକୁ ମଳିଲାଣି ନିର୍ବାଚନୀ ତାତି। ଭାରତୀୟ ଜନତା ପାର୍ଟି (ବିଜେପି)ରେ ନମ୍ବର ଦୁଇ ରୂପେ ବିବେଚିତ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗତ ରବିବାର ଦିନ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ସପକ୍ଷରେ ଆୟୋଜିତ ଏକ ର‍୍ୟାଲିରେ ଯୋଗଦେବା ଅବସରରେ ଘୋଷଣା କରି କହିଥିଲେ, ‘ଯଦି ପଶ୍ଚିମବଙ୍ଗ ବାସୀ ବେଜେପିକୁ ଶାସନ କ୍ଷମତାକୁ ଆଣିବେ ତେବେ ଆମେ ‘ସୋନାର ବାଂଲା’ କରି ଦେଖାଇଦେବୁ।

କିନ୍ତୁ, ବିଜେପି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କର ଏ ପ୍ରକାର ବକ୍ତବ୍ୟର ୨୪ ଘଣ୍ଟା ନପୂରୁଣୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏହାର ଜବାବ ରଖିଛି। ଏବଂ କହିଛି ଯେ ‘ବାଂଲାର ଗର୍ବୋ ମମତା’ ତେଣୁ ଏଠି ବିଜେପିର ‘ସୋନାର ବାଂଲା’ କାମ ଦେବନି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିର୍ବାଚନର ରାଜନୀତିରେ ରଣନୀତି ପ୍ରସ୍ତୁତିରେ ମାହିର୍‌ ଓ ପ୍ରବୀଣ ଥିବା ପ୍ରଶାନ୍ତ କିଶୋର ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଦିଦିଙ୍କ ଟିଏମ୍‌ସି ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ମୁଣ୍ଡାଇଛନ୍ତି।

NDTV

ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଦିଙ୍କ ପାଇଁ ଖାସ୍‌ କରି ଏ ନିର୍ବାଚନୀ ଟ୍ୟାଗ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତ୍‌ି ଖୋଦ୍‌ ପ୍ରଶାନ୍ତ କିଶୋର। ‘ବାଂଲାର ଗର୍ବୋ ମମତା’ ଟ୍ୟାଗ୍‌ ଲାଇନ୍‌କୁ ଧରି ପଶ୍ଚିମବଙ୍ଗରେ ନିଜର ପ୍ରଚାର ଅଭିଯାନ ଚଳାଇବେ ଟିଏମ୍‌ସି ସୁପ୍ରିମୋ ମମତା। ଏହି ଟ୍ୟାଗ୍‌ ଲାଇନ ସହ ନିଜର ଲକ୍ଷାଧିକ ସମର୍ଥକଙ୍କୁ ସଙ୍ଗରେ ଧରି ମମତା ଦିଦି ବୁଲିବେ ପୂରା ପଶ୍ଚିମବଙ୍ଗ। ଆଉ ପଶ୍ଚିମବଙ୍ଗ ବାସୀଙ୍କୁ କହିବେ, ‘ସେ ହିଁ ହେଉଛନ୍ତି ଏକମାତ୍ର ନେତ୍ରୀ ଯିଏକି ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧିକୁ ବଢ଼ାଇବା ସହ ସାଂପ୍ରଦାୟିକ ସଦ୍‌ଭାବକୁ ମଧ୍ୟ ଅକ୍ଷୁଣ୍ଣ ରଖିପାରିବେ। ଦିଦିଙ୍କ ଏହି ଅଭିଯାନ ଆଜି କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡ଼ିୟମରୁ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ୭୫ ଦିନ ଚାଲିବ।

ସମ୍ବନ୍ଧିତ ଖବର