ନୀତି ଆୟୋଗ ବୈଠକରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ ଓ କେସିଆର୍‌

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଙ୍ଗ୍‌ କାଉନ୍‌ସିଲ୍‌ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେବେ ନାହିଁ।

‘ନିଷ୍ଫଳ’ କହି ପୂର୍ବରୁ ନୀତି ଆୟୋଗରେ ଯୋଗ ଦେବାକୁ ମମତା ବାନାର୍ଜୀ ମନା କରି ଦେଇଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌ ରାଜ୍ୟର ଗୋଟାଏ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପ୍ରସ୍ତୁତିରେ ବ୍ୟସ୍ତ ଥିବା କଥା ଜଣାଇଛନ୍ତି।

ନୀତି ଆୟୋଗ ବୈଠକରେ ଯୋଗ ଦେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଜରିଆରେ ମମତା ବାନାର୍ଜୀ ଜଣାଇ ଦେଇଥିଲେ। ତିନି ପୃଷ୍ଠାସମ୍ବଳିତ ସେ ଦୀର୍ଘ ଚିଠିରେ ମମତା କହିଥିଲେ କି, ରାଜ୍ୟମାନଙ୍କର ବିନା ପରାମର୍ଶର କେନ୍ଦ୍ର ଏହାର ଆଜେଣ୍ଡା ଧାର୍ଯ୍ୟ କରିଥିବାରୁ ବୈଠକ ମୂଲ୍ୟହୀନ।

Image Source: Zee News

ତାଙ୍କ ତରଫରୁ ତାଙ୍କ କ୍ୟାବିନେଟ୍‌ର କୌଣସି ମନ୍ତ୍ରୀ ବୈଠକରେ ଯୋଗ ଦେବେ କି, ନାହିଁ, ତାହା ମମତା ସ୍ପଷ୍ଟ କରି ନାହାନ୍ତି।

ଉଭୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ଯାଇ ନ ଥିଲେ।

ନରେନ୍ଦ୍ର ମୋଦୀ ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେବ ପ୍ରଥମ ନୀତି ଆୟୋଗ ବୈଠକ।

ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥିବା ଏହି ବୈଠକରେ ବର୍ଷା ଜଳ ସଂରକ୍ଷଣ, ମରୁଡ଼ି ପରିସ୍ଥିତି ଏବଂ ରିଲିଫ୍‌ ପଦକ୍ଷେପ, ଅନଗ୍ରସର ଜିଲ୍ଲା ଏବଂ ବାମପନ୍ଥୀ ଜିଲ୍ଲା ପ୍ରପୀଡ଼ିତ ଜିଲ୍ଲା ଉପରେ ଧ୍ୟାନକେନ୍ଦ୍ରିତ କରି ନିରାପତ୍ତା ସଂକ୍ରାନ୍ତ ମାମଲା ଏଥିରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର