କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟି ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି କ୍ରମରେ ଗତକାଲି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିବା ବେଳେ ଆଜି କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ବାସଭବନରେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ମମତା ବାନାର୍ଜୀ । ବିଭିନ୍ନ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ମମତା ବାନାର୍ଜୀ କରିଥିବା ଜଣାପଡ଼ିଛି ।

ଏହା ବ୍ୟତୀତ ଏନସିପି ନେତା ଶରଦ ପାୱାର, ଶିବସେନା ମୁଖପାତ୍ର ସଂଜୟ ରାୱତ, ଗୀତିକାର ଜାଭେଦ୍ ଅଖତାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ଶବନା ଆଜମୀଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଇଛି ।

୨୦୨୪ ନିର୍ବାଚନରେ ବିରୋଧୀମାନଙ୍କୁ ଏକଜୁଟ କରି ମୋଦୀ ସରକାରଙ୍କ ବିରୋଧରେ ଛିଡ଼ା କରିବାକୁ କରିଛନ୍ତି ମମତା । ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଓ ବିଜେପିର ସବୁ କଳ, ବଳ କୌଶଳକୁ ଶେଷ କରି ରାଜ୍ୟରେ ବହୁମତ ହାସଲ କରିବା ପରେ ମମତା କେନ୍ଦ୍ର ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା କରିଛନ୍ତି ।

ଏହି କ୍ରମରେ ସେ ଗତକାଲି ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ବିଜେପିକୁ ଟାର୍ଗେଟ କରି ଗଣମାଧ୍ୟମରେ କହିଥିଲେ କି, ବିଜେପି ଅପରାଜେୟ ନୁହେଁ, ଯଦି ସବୁ ବିରୋଧୀ ଦଳ ଏକାଠି ହୋଇଯିବେ ତେବେ ଦେଶର ରାଜନୈତିକ ଦୃଶ୍ୟପଟ ୬ ମାସ ମଧ୍ୟରେ ବଦଳିଯିବ । ଅନ୍ୟପଟେ ବିରୋଧୀ ଦଳର ଚେହେରା କିଏ ହେବ ବୋଲି ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଭୋଟରମାନେ ହିଁ ମୁଖ୍ୟ ଚେହେରା । ଯିଏ ସେମାନଙ୍କୁ ଦେଶର ବାସ୍ତବ ଚିତ୍ର ଦେଖାଇପାରିବ ସେ ହିଁ ହେବ ମୁଖ୍ୟ ।

ଅନ୍ୟପଟେ ଆଜି ନିତିନ ଗଡକରୀଙ୍କୁ ଭେଟିବା ନେଇ କାରଣ ସ୍ପଷ୍ଟ ହୋଇ ନଥିଲେ ବି କିଛିଦିନ ହେବ ବିଜେପି ଉପରେ ଗଡକରୀ ସନ୍ତୁଷ୍ଟ ନାହାନ୍ତି । ତୈଳଦର ବୃଦ୍ଧିନେଇ ସେ ଇସାରାରେ ବିଜେପିକୁ ବିରୋଧ କରିଥିଲେ । ଅନୁମାନ କରାଯାଉଛି ଯେ ନିତିନ ଗଡକରୀଙ୍କୁ ଭେଟି ମମତା ଦିଲ୍ଲୀ ରାଜନୀତିରେ ନୂଆ ଚାଲ୍ ଖେଳିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର