କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୧୭ ରେ ବିରୋଧୀଙ୍କ ରାତ୍ରୀ ଭୋଜନରେ ଯୋଗ ଦେବେ ନାହିଁ କାରଣ ତାଙ୍କୁ ଅସ୍ତ୍ରୋପଚାର ପରବର୍ତ୍ତୀ ସତର୍କତା ପାଳନ କରିବାକୁ ପଡିବ । କିନ୍ତୁ ସେ ଜୁଲାଇ ୧୮ରେ ବିରୋଧୀ ଦଳର ଦିନିକିଆ ବୈଠକରେ ଯୋଗ ଦେବେ । ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ସୂତ୍ରରୁ ଶନିବାର ଏହି ସୂଚନା ଦିଆଯାଇଛି ।

Advertisment

ଗତ ଗୁରୁବାର କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲରେ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ଜୁନ୍ ୨୭ ରେ ଉତ୍ତରବଙ୍ଗର ଭୋକେ ଏୟାରବେସରେ ମମତାଙ୍କ ହେଲିକପ୍ଟରର ଜରୁରୀ କାଳୀନ ଅବତରଣ ସମୟରେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା ।

ଏ ସଂପର୍କରେ ଟିଏମସି ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ତାଙ୍କୁ ଯାଇ ବିରୋଧୀଙ୍କ ବୈଠକରେ ଯୋଗ ଦେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତେଣୁ ସେ ରାତ୍ରି ଭୋଜନରେ ଯୋଗ ଦେବେ ନାହିଁ, ବରଂ ଜୁଲାଇ ୧୮ରେ ଦିନବ୍ୟାପୀ ହେବାକୁ ଥିବା ବୈଠକରେ ଯୋଗଦେବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୁଲାଇ ୧୭ରେ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ଏହା ପୂର୍ବରୁ ଗତ ଜୁନ ୨୩ରେ ବିହାରର ପାଟନାରେ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା ।